ପ୍ରତିଶ୍ରୁତିରେ ଅଟକିଛି ୪୦ବର୍ଷର ପୁରୁଣା ବିଦ୍ୟୁତ୍‌ କଲୋନୀ ଉନ୍ନୟନ


ରାଉରକେଲା ଅଫିସ, ୯।୧୧-ରାଉରକେଲା ମହାନଗର ୩ନଂ ୱାର୍ଡ ଅନ୍ତର୍ଗତ ବିଦ୍ୟୁତ୍‌ କଲୋନୀ (ଓପିଟିସିଏଲ) ବାସିନ୍ଦା ଆଜି ପର୍ଯ୍ୟନ୍ତ ମୌଳିକ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ଏନେଇ ଗୁରୁବାର ସ୍ଥାନୀୟ ବାସିନ୍ଦା ଆରଏମ୍‌ସି ଡେପୁଟି କମିଶନର (ଉପାୟୁକ୍ତ) ସୁଷମା ବିଲୁଙ୍ଗଙ୍କୁ ଭେଟି କଲୋନୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଦୀର୍ଘ ୪୦ବର୍ଷର ଏହି ପୁରୁଣା କଲୋନୀ ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକେ ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ଯୋଜନାରୁ ବଞ୍ଚିତ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ରାସ୍ତା, ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧା ଏଠାରେ ସହଜରେ ଉପଲବ୍ଧ ହୋଇପାରୁନି। ଏଠାରେ ୭୮ଘର ରହିଥିବା ବେଳେ ୨ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏକମାତ୍ର ବୋରିଂ ପଏଣ୍ଟରୁ କଲୋନୀକୁ ଜଳଯୋଗାଣ କରାଯାଉଛି। ବହୁ ସମୟରେ ଏହା ଅଚଳ ହୋଇପଡୁଥିବାବେଳେ ଲୋକେ ଯାଇ ତର୍କରା କଲୋନୀରୁ ପାଣି ସଂଗ୍ରହ କରୁଛନ୍ତି। ଏପରି ଅବସ୍ଥାରେ ନଳକୂପଟିଏ ଖୋଳାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକୁ କେହି ଗ୍ରହଣ କରି ନାହଁାନ୍ତି। ସେହିଭଳି କଲୋନୀ ବାସିନ୍ଦାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ପକ୍କା ସଡକ ନିର୍ମାଣ କରାଯାଇନି। କଲୋନୀକୁ କୃତ୍ରିମ ଜଙ୍ଗଲ ଢାଙ୍କି ରଖିଥିବାବେଳେ ଏଠି ମଶା ଡାଅଁାଶଙ୍କ ପ୍ରାଦୁର୍ଭାବ କିଛି କମ ନୁହେଁ। ସହରର ଅନ୍ୟ ଅଞ୍ଚଳରେ ମଶା ଧୂଅଁା ଛଡାଯାଉଥିବାବେଳେ ବିଦ୍ୟୁତ୍‌ କଲୋନୀ ବାସିନ୍ଦା ଏଥିରୁ ବଞ୍ଚିତ। ଏପରି ଅବସ୍ଥାରେ କଲୋନୀର ଅନେକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ବିପର୍ଯ୍ୟସ୍ତ ପରିମଳ ଅବସ୍ଥା କଲୋନୀ ବାସିନ୍ଦାଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏନେଇ ଆରଏମ୍‌ସି କିମ୍ବା ଓପିଟିସିଏଲ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନ ଥିବା କୁହାଯାଇଛି। ଦୀର୍ଘବର୍ଷ ହେବ ଡ୍ରେନେଜ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଇନି। ଫଳରେ କ୍ୱାର୍ଟର୍ସରୁ ନିସ୍କାସିତ ବର୍ଜ୍ୟଜଳ ରାସ୍ତା ଉପରେ ଭାସୁଛି। ଏହି ପୁରୁଣା କଲୋନୀର ରାସ୍ତା ପାର୍ଶ୍ୱ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ତୁରନ୍ତ ଏହାର ନିରାକରଣ ଦାବି କରାଯାଇଛି। କଳଙ୍କି ଲଗା କେଇଟି ବିଜୁଳି ଖୁଣ୍ଟ ଆଶ୍ରାରେ ମିଞ୍ଜିମିଞ୍ଜି ଜଳୁଥିବା ବଲ୍‌ବ ହିଁ କଲୋନୀ ବାସିନ୍ଦାଙ୍କୁ ରାତି ଅନ୍ଧାରରେ ବାଟ ଦେଖାଉଛି। ଏହା ମଧ୍ୟ ସବୁ ଦିନ ଜଳୁନି। ଅନେକ ସମୟରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି କଲୋନୀ ବାସିନ୍ଦା ପ୍ରକାଶ କରିଛନ୍ତି। ଏହି କଲୋନୀର ସାମଗ୍ରିକ ବିକାଶ ନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଆରଏମ୍‌ସି କତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଲୋକଙ୍କ ମୌଳିକ ସମସ୍ୟା ନେଇ ଦୃଷ୍ଟି ଦିଆଯିବ ବୋଲି ଆରଏମ୍‌ସି ଉପାୟୁକ୍ତ ବିଲୁଙ୍ଗ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri