ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିନି: ଛତିଶଗଡକୁ ଯାଉଛି ଧାନ


ପଦ୍ମପୁର, ୯।୧୧ (ଡି.ଏନ.ଏ) ବରଗଡ ଜିଲାର ପଦ୍ମପୁର ଉପଖଣ୍ଡରେ ଏଯାଏ ମଣ୍ଡି ଖୋଲିନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି କମ୍‌ ମୂଲ୍ୟରେ ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି। ସରକାରୀ ଧାନ ମଣ୍ଡି ନ ଖୋଲିବା ଯୋଗୁ ଏହାର ସୁଯୋଗ ନେଇ ବେପାରୀମାନେ ରାସ୍ତା କଡ, ବଜାର ତଥା ଗାଁ ଗାଁ ବୁଲି ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୧୧ଶହ ଟଙ୍କାରେ ଧାନ ସଂଗ୍ରହ କରୁଛନ୍ତି। ସେହି ଧାନକୁ ଛତିଶଗଡ ନେଇ ସେଠାରେ ୧୩୫୦ଟଙ୍କାରୁ ୧୪ଶହ ଟଙ୍କାରେ ସେମାନେ ବିକ୍ରି କରୁଛନ୍ତି। ତେବେ ଏହାକୁ ରୋକିବା ପାଇଁ ସରକାର କିମ୍ବା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଚଳିତବର୍ଷ ନଭେମ୍ବର ୭ ତାରିଖରୁ ବରଗଡ ଜିଲାରେ ମଣ୍ଡି ଖୋଲିବା ସହ ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ ପ୍ୟାକ୍ସଗୁଡିକୁ ଧାନ କ୍ରୟ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି କ୍ରମରେ ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକରେ ୫୭ଟି ସ୍ଥାନରେ ଧାନକ୍ରୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଆଉ କେତେକ ସ୍ଥାନରେ ନୂଆ ଧାନକେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ପଠାଯାଇଛି ବୋଲି ପଦ୍ମପୁର ସହକାରୀ ନିବନ୍ଧକ ଧର୍ମେନ୍ଦ୍ର ଭୋଇ କହିଛନ୍ତି। ସେହିପରି ପ୍ୟାକ୍ସ ସହ ଚୁକ୍ତି ସ୍ବାକ୍ଷର ସରିଥିବାବେଳେ କେତେକ ନୂଆ ଡାଟା ଅପ୍‌ଲୋଡ କାମ ଚାଲିଥିବାରୁ ମଣ୍ଡି ଖୋଲିବା ବିଳମ୍ବ ହେଉଛି। ଆଗାମୀ ୩/୪ ଦିନ ଭିତରେ ଏହି କାମ ସରିବା ପରେ ମଣ୍ଡି ଖୋଲାଯିବ ବୋଲି ସହକାରୀ ନିବନ୍ଧକ ଭୋଇ କହିଛନ୍ତି। ଛତିଶଗଡ ଧାନ ଚାଲାଣ ହେଉଥିବା ସମ୍ପର୍କରେ ପଦ୍ମପୁର ଉପଜିଲାପାଳ ତପିରାମ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ, ଧାନ କିଣା ନେଇ ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ଘଟିଛି। ପରବର୍ତ୍ତିତ ବ୍ୟବସ୍ଥା ଅନୁସାରେ ୩/୪ ଦିନ ଭିତରେ ମଣ୍ଡି ଖୋଲାଯିବ। ଏହି ଅଞ୍ଚଳର ଧାନ ଯେପରି ଅନ୍ୟ ରାଜ୍ୟକୁ ନ ଯିବ ସେଥିପାଇଁ ଯୋଗାଣ ବିଭାଗକୁ ଦୃଷ୍ଟି ଦେବାକୁ କୁହାଯାଇଥିବା ସେ କହିଥିଲେ। ଏବେଠାରୁ ପ୍ରଶାସନ ଧ୍ୟାନ ନ ଦେଲେ ଧାନର ଅଭାବୀ ବିକ୍ରି ସହ ଅନେକ ସମସ୍ୟା ଦେଖାଦେବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri