ପଞ୍ଚାୟତ କାର୍ଯ୍ୟାଳୟ ନେଇ ବିଦାଦ ତେଜୁଛି: ରାଜରାସ୍ତାକୁ ଆସିବାକୁ ସଜବାଜ


ନୂଆପଡା ଅଫିସ / କୋମନା, ୯।୧୧- ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକଙ୍କ ଦ୍ୱାର ମୁହଁରେ ପହଞ୍ଚାଇବାକୁ ନୂଆପଡା ଜିଲାର ଗ୍ରାମପଞ୍ଚାୟତ ସଂଖ୍ୟା ୧୦୮ରୁ ୧୩୧କୁ ବୃଦ୍ଧି କଲେ। ହେଲେ କେତେକ କ୍ଷେତ୍ରରେ ଲୋକଙ୍କ ବୁଝାମଣାକୁ ଗୁରୁତ୍ୱ ନ ଦେଇ କାଗଜକଲମ ଉପରେ ବେଶୀ ଭରସା କରି କାମ ସାରିଦେଇଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହା ଦ୍ୱାରା ପଞ୍ଚାୟତ ଘୋଷଣା କରିଦିଆଗଲା ସିନା ଏଯାବତ ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇପାରୁନାହିଁ। ଫଳରେ ଗାଁଗାଁ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ପଞ୍ଚାୟତ ଘୋଷଣା କରାଗଲା ସିନା କାର୍ଯ୍ୟାଳୟ ସ୍ଥାପନ ପାଇଁ ଚୂଡାନ୍ତ ହୋଇପାରୁନାହିଁ। ଏହାର ଏକ ଉଦାହରଣ ହୋଇଛି ଏହି ଜିଲା କୋମନା ବ୍ଲକ ଢୋର୍ଲାମୁଣ୍ଡା ଗ୍ରାମପଞ୍ଚାୟତ। ବ୍ଲକର ସର୍ବବୃହତ୍ତ ଗ୍ରାମ ପଞ୍ଚାୟତ ଝଗ୍ରାହୀ ଦୁଇ ଭାଗ ହେଲା। ଏଥିରେ ଛତା ଏବଂ ଢୋର୍ଲା ଗାଁକୁ ନେଇ ଢୋର୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗଠନ କରାଯିବାକୁ ଘୋଷଣା କରାଗଲା। ହେଲେ ଛତାବାସିନ୍ଦା ଛତାକୁ ପଞ୍ଚାୟତ ଭାବେ ଗଢିବାକୁ ଦାବି କରିଥିଲେ। ଛତାର ଜନସଂଖ୍ୟା ୧୬୪୯ ହୋଇଥିବାବେଳେ ଢୋର୍ଲାର ଲୋକ ସଂଖ୍ୟା ୧୬୫୦। ତେଣୁ କରି ଜନସଂଖ୍ୟାକୁ ଭିତ୍ତିକରି ଢୋର୍ଲାକୁ ଗ୍ରାମପଞ୍ଚାୟତ ଭାବରେ ପ୍ରଶାସନ ଚୂଡାନ୍ତ କଲା। ହେଲେ ଏହାକୁ ଛତାବାସୀ ବିରୋଧ କରି ନିର୍ଦ୍ଧାରିତ ଅବଧି ମଧ୍ୟରେ ଅଭିଯୋଗପତ୍ର ଦାଖଲ କରିଥିଲେ। ତାହା କାଟ ଖାଇଗଲା। ଶେଷରେ ଢୋର୍ଲାମୁଣ୍ଡା ଗ୍ରାମପଞ୍ଚାୟତ ହିଁ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଲା। ହେଲେ ତା’ପରଠାରୁ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନକୁ ନେଇ ବିବାଦ ଛିଡା ହୋଇଛି। ଛତାଗ୍ରାମବାସୀ ତା୨୨ା୯ା୧୭ରିଖ ଦିନ ୱାର୍ଡ ସଭ୍ୟା ସାବିତ୍ରୀ ଜଗତଙ୍କ ସଭାପତିତ୍ୱରେ ଏକ ଗ୍ରାମସଭାର ଅନୁମୋଦନକ୍ରମେ ନିଷ୍ପତି ନେଇ ଜିଲାପାଳଙ୍କୁ ଦୁଇ ଗ୍ରାମର ମଝିରେ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଦାବି କରିଥିଲେ। ତାକୁ ଭିିତ୍ତିକରି ସେତେବେଳେ ଜିଲା ଗ୍ରାମପଞ୍ଚାୟତ ଅଧିକାରୀ କୋମନା ବିଡିଓଙ୍କୁ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ କରିଥିଲେ। ହେଲେ ପରବର୍ତି ସମୟରେ ଦେଖିବାକୁ ମିଳିଲା ଯେ, ଜଣେ ଯନ୍ତ୍ରୀ ଢୋର୍ଲାମୁଣ୍ଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଦେଲେ। ଏହା ଉପରେ ପୁଣି ଥରେ ଛାତବାସିନ୍ଦା ଜିଲାପାଳଙ୍କୁ ଜଣାଇବା ପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ନିର୍ଦ୍ଦେଶ ହୋଇଥିଲା। ହେଲେ ତାହା ପାଣିର ଗାର ହୋଇଛି ବୋଲି ଛତା ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଧିରେ ଧିରେ ଦିନ ଗଡିଚାଲିଛି। ପ୍ରଶାସନ ଚୁପ ହୋଇ ସବୁ ଦେଖୁଛି। ପୁଣି ଥରେ ଏହା ଉପରେ ଏକ ପ୍ରତିନିଧିଦଳ ନୂଆପଡା ଆସି ଜିଲାପାଳ ଡା. ପୋମା ଟୁଡୁଙ୍କୁ ଭେଟି ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନକୁ ନେଇ ନିଷ୍ପତ୍ତି ନେବାକୁ ଗୁହାରୀ କରିଛନ୍ତି। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଆବାହକ ତ୍ରିଲୋଚନ କଣ୍ଟା କହିଛନ୍ତି। ତେବେ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା କରି ଏକ ନିଷ୍ପତ୍ତିି ନେବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବୀମାନେ ମତଦେଉଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri