ବରଗଡ଼ ଜିଲା: ୧୨,୬୧୪ ପ୍ୟାକେଟ୍‌ ଧାନ ଉଠିଲା


ବରଗଡ଼ ଅଫିସ୍‌/ଅତାବିରା,୮।୧୧ ବରଗଡ଼ ଜିଲାରେ ଖରିଫ୍‌ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ବୁଧବାରଠାରୁ ସ୍ବାଭାବିକ ହୋଇଛି। ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଗୋଡ଼ଭଗା ମଣ୍ଡିରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପୂଜାପାଠ ହେବା ପରେ ଧାନ ଉଠାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ଅତାବିରା ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିକୁ ଆସିଥିବା ସମୁଦାୟ ୬୫ହଜାର ୪୮୯ ପ୍ୟାକେଟ୍‌ ଧାନରୁ ୧୨ହଜାର ୬୧୪ ପ୍ୟାକେଟ୍‌କୁ ପ୍ୟାକ୍ସ ଜରିଆରେ ଯୋଗାଣ ନିଗମ କିଣିଥିବାବେଳେ କ୍ରୟଧାନ ସବୁକୁ ମିଲର୍ସମାନେ ଉଠାଇଥିଲେ। ଅନ୍ୟପଟେ ବରଗଡ଼ ଆର୍‌ଏମ୍‌ସି ଅଧୀନ କଲାପାଣି, ବେହେରା ଓ ବରପାଲି ମଣ୍ଡିରେ ସମୁଦାୟ ୬୦୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଥିବାବେଳେ ସେଥିରୁ ଆଦୌ ଧାନ ବିକ୍ରି ହୋଇପାରିନାହିଁ। ଫଳରେ ବର୍ତ୍ତମାନ ସୁଦ୍ଧା ଉଭୟ ଅତାବିରା ଓ ବରଗଡ଼ ଆର୍‌ଏମ୍‌ସିର ମଣ୍ଡି ଗୁଡ଼ିକରେ ମୋଟ୍‌ ୫୩ହଜାର ୪୮୧ ପ୍ୟାକେଟ୍‌ ଧାନ ବସ୍ତା ବିକ୍ରି ଅପେକ୍ଷାରେ ରହିଛି। ବୁଧବାରରୁ ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପର୍ଯ୍ୟାୟକ୍ରମେ ମଣ୍ଡିରେ ସଂଗୃହୀତ ସମସ୍ତ ଧାନକୁ କିଣାଯିବ ବୋଲି ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀ କହିଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାରଠାରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ବରଗଡ଼ ଆର୍‌ଏମ୍‌ସି ଅଧୀନରେ ୫୫, ଅତାବିରା ଆର୍‌ଏମ୍‌ସି ୫୫ ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଧୀନରେ ୫୭ଟି ମଣ୍ଡି ଖୋଲାଯାଇଛି। ପ୍ରଥମ ଦିବସରେ ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକୁ ସର୍ବାଧିକ ୨୮ହଜାର ୩୫୪ ଏବଂ ବରଗଡ଼ ଆର୍‌ଏମ୍‌ସି ଅଧୀନ କେବଳ କଲାପାଣି ମଣ୍ଡିକୁ ୩୩୬ ବସ୍ତା ଧାନ ଆସିଥିଲା। ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାର ପ୍ରତ୍ୟେକ ଚାଷୀ ପରିବାରର ମୁଣ୍ଡପିଛା ୩ କୁଇଣ୍ଟାଲ ଲେଖାଏଁ ଧାନ କାଟ୍‌ କଟକଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହି କଟକଣା ନ ଉଠାଇବା ପର୍ଯ୍ୟନ୍ତ ଧାନ ବିକ୍ରି କରିବାକୁ ଚାଷୀମାନେ ସହମତ ହୋଇ ନ ଥିଲେ। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଶେଷରେ ଚାଷୀଙ୍କ ଆଗରେ ମୁଣ୍ଡ ନୂଆଁଇ ବରଗଡ଼ ଜିଲାର ଚାଷୀଙ୍କ ପାଇଁ ସରକାର ସେହି କଟକଣାରୁ ଓହରି ଯାଇଥିଲେ। ଏହାପରେ ଅତାବିରା ତହସିଲଦାର ଡଃ ଦୌଲତ ଚନ୍ଦ୍ରାକର, ସହକାରୀ ଯୋଗାଣ ଅଧିକାରୀ ନାରାୟଣ ପଣ୍ଡା, ସହକାରୀ ସମବାୟ ନିବନ୍ଧକ ଦିବାକର ଭୋଇ, ମଣ୍ଡି ଇନଚାର୍ଜ ସଦାନନ୍ଦ ପ୍ରଧାନ ଏବଂ ଚାଷୀ ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ ଧାନ କିଣାବିକା ସ୍ବାଭାବିକ ହୋଇଥିଲା। ଉଲ୍ଲେଖନୀୟ, ଅତାବିରା ଆର୍‌ଏମସି ଅଧୀନ ମଣ୍ଡିଗୁଡ଼ିକୁ ବୁଧବାର ୩୭ ହଜାର ୧୨୫ ପ୍ୟାକେଟ୍‌ ଧାନ ପହଞ୍ଚି ଥିବାବେଳେ ବରଗଡ଼ ଆର୍‌ଏମସି ଅଧୀନ ବେହେରା ଓ ବରପାଲି ମଣ୍ଡିକୁ ୧୨୦ ପ୍ୟାକେଟ୍‌ ଲେଖାଏଁ ଧାନ ବସ୍ତା ଆସିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri