ହାତୀ ଶୁଣ୍ଢରେ କଚାଡ଼ି ଆହତ କଲା ଜଣଙ୍କୁ: ତିନିଦିନ ହେଲା ହାତୀ ଆତଙ୍କ


ନୂଆପଡା ଅଫିସ,୮।୧୧- ନୂଆପଡା ଜିଲାରେ ଆଜିକୁ ତିନି ଦିନ ହେଲା ହାତୀ ଲଙ୍କାକାଣ୍ଡ ଭିଆଇ ଚାଲିଛି। ପ୍ରତିଦିନ ନିଜର ଆଡ୍ଡା ପରିବର୍ତ୍ତନ କରୁଥିବାବେଳେ ମଣିଷଙ୍କୁ ଦେଖିଲେ ଟାର୍ଗେଟ କରୁଛି। ସକାଳେ ଏବଂ ସନ୍ଧ୍ୟାରେ ବୁଲିବୁଲି ଫସଲ, ପନିପରିବା ଖାଉଥିବାବେଳେ ମଣିଷଙ୍କୁ ଦେଖିଲେ ଗୋଡାଇ ମାରୁଛି। ପ୍ରଥମ ଦିନରେ ଜଣଙ୍କ ଜୀବନ ନେଇ ଦ୍ୱିତୀୟ ଦିନରେ ଜଣଙ୍କ ଗୁହାଳକୁ ଚୁରମାର କରିଥିବାବେଳେ ବୁଧବାର ଦୁଇ ଜଣ ବାଇକ ଆରୋହୀଙ୍କୁ ଗୋଡାଇ ଥିଲା। ଜଣେ ଖସି ପଳାଇଥିବାବେଳେ ଅନ୍ୟ ଜଣେ ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିବାକୁ ଉଦ୍ୟମ କରିଥିଲା। ବୃଦ୍ଧଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ବୃଦ୍ଧ ଜଣକ ହେଲେ ନୂଆପଡା ବରଗଡ ଜିଲା ସୀମାନ୍ତ ଭାନପୁର ଗ୍ରାମପଞ୍ଚାୟତର ସାନକୁଣ୍ଡା ଗାଁର ହଂସ ବରିହା(୬୦)। ପ୍ରକାଶ ଯେ, ସୋମବାର ସକାଳେ ଛତିଶଗଡ ପଟୁ ଆସିଥିବା ୭ଟି ହାତୀ ନୂଆପଡା ବ୍ଲକର ଭଇଁଷମୁଣ୍ଡି ଉରେଇବାହାରା ଗାଁର ଲଟି ପାଣ୍ଡେ ନାମକ ଜନୈକ ବୃଦ୍ଧଙ୍କୁ ଦଳି ମାରିଦେଇଥିଲେ। ସେଦିନ ଦିନସାରା ହଳଦୀ ଜଙ୍ଗଲରେ ଲୁଚି ରହିବା ପରେ ରାତିସାରା ୨୫କି.ମି ଗସ୍ତ କରି ବିରୋମାଲ ପଞ୍ଚାୟତରେ ପହଞ୍ଚିଥିଲେ। ଭାଲୁକୋନା ଗାଁରେ ଜଣଙ୍କ ଗୁହାଳକୁ ଚୁରମାର କରି ନିକଟସ୍ଥ କାଜୁ ଜଙ୍ଗଲରେ ଲୁଚି ରହିଥିଲେ। ମଙ୍ଗଳବାର ରାତିରେ ପୁଣି ୮।୧୦କି.ମି ଦୂର ଗସ୍ତ କରିଥିଲେ। ବୁଧବାର ସକାଳେ ଛିନପାଣି ଗାଁରେ ପହଞ୍ଚି ଫସଲ ନଷ୍ଟ କରିଥିଲେ। ଗ୍ରାମବାସୀ ଘଉଡାଇବା ପରେ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଗଲେ। ଠିକ୍‌ ସନ୍ଧ୍ୟା ହେବାବେଳକୁ ହାତୀପଲ ବାହାରିଥିଲେ। ବାଟରେ ଦୁଇ ଜଣ ବାଇକ ଆରୋହୀ ହଂସ ବରିହା ଏବଂ ମନୁଲାଲ ବରିହା ହାତୀ ପଲ ହାବୁଡରେ ପଡିଯାଇଥିଲେ। ହାତୀ ପଲ ସେମାନଙ୍କୁ ବହୁ ଦୂର ଦୌଡାଇଥିଲେ। ବାଇକରେ ଚଢିଥିବା ସମୟରେ ହିଁ ବୃଦ୍ଧ ହଂସଙ୍କୁ ଏକ ହାତୀ ଶୁଣ୍ଢରେ ଟାଣିଆଣିଥିଲା। ତାଙ୍କୁ କଚାଡି ଦୂରରେ ଫିଙ୍ଗିଦେଇଥିଲା। କିଛି ସମୟ ପରେ ହାତୀପଲ ପଳାଇ ଯିବାପରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri