ପରିବାର ଅଦାଲତରେ ସମାଧାନ: ଦୁଇବର୍ଷ ବିଛେଦ ପରେ ମିଳନ


ନୂଆପଡା ଅଫିସ, ୮।୧୧- ଜଣେ ଉଚ୍ଚ ଶିକ୍ଷିତ ଯୁବକ ଅନ୍ୟ ସମ୍ପ୍ରଦାୟର କମ୍‌ ପାଠପଢା ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିବା ଏବଂ ପରେ ଦୁହିଁଙ୍କ ଭିତରେ ସମ୍ପର୍କରେ ତିକ୍ତତା ଆସିବାରୁ ଦୀର୍ଘ ଦୁଇ ବର୍ଷକାଳ ବିଚ୍ଛେଦ ରହିବା ମାମଲାକୁ ନୂଆପଡାର ପରିବାର ଅଦାଲତ ସମାଧାନ କରିବାରେ ସଫଳ ହୋଇଛି। ବୁଧବାର ଏକ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ମାମଲାର ସମାଧାନ ପରେ ସ୍ବାମୀ ଏବଂ ସ୍ତ୍ରୀ କୋଳାକୋଳି ହୋଇ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଥିବା ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଗତ ୨୭ା୭ା୨୦୧୭ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନିର୍ଦ୍ଦେଶ କରିଥିଲେ ଯେ, କୌଣସି ଯୌତୁକଜନିତ ନିର୍ଯାତନା ମାମଲାକୁ ଏଣିକି ପୋଲିସ ପରିବାର ଅଦାଲତକୁ ହସ୍ତାନ୍ତର କରିବ। ସେଥିରେ ସମାଧାନ ନ ହେଲେ ଅନ୍ୟ ଅଦାଲତକୁ ମାମଲା ଚାଲିଯିବ। ତେବେ ଏଭଳି ଏକ ମାମଲା ଖରିଆରରୋଡ ଜୋଙ୍କ ଥାନାକୁ ଆସିଥିଲା। ଦଫା ୪୯୮ରେ ରୁଜୁ ହୋଇଥିବା ଏହି ମାମଲା (ନଂ.୧୦୫ା୨୦୧୭) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାରକରି ନୂଆପଡା ଜିଲା ଆଇନ ସେବା ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଥିଲା। ପ୍ରାଧିକରଣର ସଚିବ ଜ୍ଞାନରଞ୍ଜନ ପଟ୍ଟନାୟକ ପତ୍ରାଙ୍କ ସଂଖ୍ୟା ୧୨୩୬ା୨୩ା୧୦ା୨୦୧୭ରେ ପରିବାର ଅଦାଲତକୁ ଏହା ଉପରେ ବିଚାର କରିବାକୁ ନିର୍ଦ୍ଦେଶ କରିଥିଲେ। ଏହି ମାମଲାକୁ ନେଇ ପରିବାର କୋର୍ଟର ସଦସ୍ୟମାନେ ଦୀର୍ଘ ୨୫ଦିନ ଧରି ଦୁଇ ପରିବାର ଲୋକଙ୍କ ସହ ସମ୍ପର୍କ ଏବଂ ପରାମର୍ଶ କରି ଏକ ବାତାବରଣ ସୃଷ୍ଟି କରିଥିଲେ। ତା’ପରେ ବୁଧବାର ଜିଲା ଆଇନ ସେବା ପ୍ରାଧିକରଣ ପରିସରରେ ପରିବାର ଅଦାଲତ ବସିଥିଲା। ଏଥିରେ ଦୁଇ ପକ୍ଷର ଲୋକମାନେ ଯୋଗଦେଇଥିଲେ। ଦୀର୍ଘ ୫ଘଣ୍ଟାର ଶୁଣାଣି ଚାଲିବା ପରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଦୁହେଁ ସ୍ବାମୀ ସ୍ତ୍ରୀ ଭାବରେ ପରିବାର ଗଢି ସୁସମ୍ପର୍କ ନେଇ ଚଳିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହି କୋର୍ଟରେ ସଦସ୍ୟ ଡ. ଶିବ ପ୍ରସାଦ ବେହେରା, ତପସ୍ବିନୀ ପଣ୍ଡା ଏବଂ ଯାଜ୍ଞସେନୀ ମହାପାତ୍ର ଉପସ୍ଥିତ ରହି ଦୁଇପକ୍ଷର ବୟାନ ରେକର୍ଡ କରି ନିଷ୍ପତିରେ ପହଞ୍ଚିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯୁବକ ଜଣକ ଖରିଆରରୋଡର ହୋଇଥିବାବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ। ଅନ୍ୟପକ୍ଷେ ସ୍ଥାନୀୟ ଜଣେ ଝିଅ, ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା ତୃତୀୟ ଶ୍ରେଣୀପାସ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା। ପରେ ସାମାଜିକ ରୀତିନୀତିରେ ବିବାହ ହୋଇଥିଲା। ବର୍ତ୍ତମାନ ପରିବାର ଅଦାଲତର ଯୌତୁକଜନିତ ମାମଲାର ଏହି ବୁଝାମଣା ଜିଲା ତଥା ରାଜ୍ୟରେ ପ୍ରଥମ ମାମଲା ହେବ ବୋଲି କୁହାଯାଉଛି। ଏହି ସ୍ବାମୀସ୍ତ୍ରୀଙ୍କ ଗୃହ ସଂସାର ଯେ, ସୁନାର ସଂସାର ହେଉ ବୋଲି ଜିଲାବାସୀ କାମନା କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri