ସ୍ତ୍ରୀଙ୍କୁ ମଶା ନିଶ୍ଚେତକ ପିଆଇଲେ ସ୍ବାମୀ:ଓଡ଼ିଶାରୁ ନେଇ ଛତିଶଗଡ଼ରେ ଫିଙ୍ଗିଲେ


ନୂଆପଡା ଅଫିସ,୭।୧୧-ନିଜ ସ୍ତ୍ରୀଙ୍କୁ ମଶା ନିଶ୍ଚେତକ ପିଆଇ ସୁଦୂର ଦୁଇ ଶହ କି.ମି. ଦୂର ଛତିଶଗଡ ରାଜ୍ୟର ଶ୍ୱଶୁର ଘର ଇଲାକାରେ ଫିଙ୍ଗି ଦେବା ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଛତିଶଗଡ଼ ପୋଲିସ ଓଡିଶା ଆସି ତଦନ୍ତ ଜାରି ରଖିଥିବାରୁ ଏହା ନଜରକୁ ଆସିଛି। ଏହି ଅଭିଯୋଗ ଆସିଛି ନୂଆପଡା ଜିଲା ବୋଡେନର ମହମ୍ମଦ ସତାରଙ୍କ ପୁଅ ଅଫଜଲ ମହମ୍ମଦଙ୍କ ନାମରେ। ଅଫଜଲ ତାଙ୍କ ମା’ ମୁମତାଜ ବେନ ଏବଂ ତାଙ୍କ ଭଉଣୀ ଆଶମା ବେନଙ୍କ ନାମରେ ଛତିଶଗଡ ନିବାସୀ ଶ୍ୱଶୁର ଘର ପକ୍ଷରୁ କେଶକାଲ ଥାନାରେ ଦଫା ୩୯୪, ୩୨୩, ୫୦୬, ୫୨୮, ୩୦୭, ୪୯୮, ୩୪ରେ ଏକ ମାମଲା (ନଂ.୧୩୫ା୨୦୧୭) ରୁଜୁ ହୋଇଛି। ଛତିଶଗଡର କନ୍ଦାଗାଁ ଜିଲା କେଶକାଲ ଥାନା ସଦର ଗାଁର ମହମ୍ମଦ ୟାକୁବ ତାଙ୍କ ଝିଅକୁ ଆଜିକୁ ଦେଢବର୍ଷ ତଳେ ନୂଆପଡା ଜିଲା ବୋଡେନର ଅଫଜଲଙ୍କୁ ବିବାହ ଦେଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଝିଅଙ୍କୁ ବର୍ଷର ବିଭିନ୍ନ ସମୟରେ ଯୌତୁକ ଜନିତ ନିର୍ଯାତନା ଦେଇଆସୁଥିଲେ। ଶେଷରେ ଗତ ୨୪ତାରିଖ ଘରକୁ ଛାଡିନେଉଥିବା ବାଟରେ ବିଭିନ୍ନ ବାହାନା କରି ମଶା ନିଶ୍ଚେତକ (ଗୁଡ ନାଇଟ ଲିକ୍ୟୁଡ କଏଲ) ପିଆଇ ଦେଇଥିଲେ। ନିଶ୍ଚେତ ହେବା ପରେ କେଶକାଲ ଥାନା ଇଲାକାରେ ଫୋପାଡି ଚାଲିଆସିଥିେଲେ। କୌଣସି ସୂତ୍ରରୁ ଝିଅଙ୍କ ପରିବାର ଲୋକ ଖବରପାଇ ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ସେ ଠିକ୍‌ ହେବା ପରେ ଗତ ୩ ତାରିଖ ଥାନାର ଦ୍ୱାରସ୍ଥ ହୋଇଥିଲେ। ଛତିଶଗଡ ପୋଲିସର ଏକ ଟିମ ଦୁଇ ଦିନ ତଳେ ନୂଆପଡା ଏବଂ ବୋଡେନକୁ ଯାଇ ତଦନ୍ତ କରିଥିଲା। ହେଲେ ପୋଲିସକୁ ସଫଳତା ମିଳି ନ ଥିଲା। ଶେଷରେ ଝିଅଙ୍କ ପିତା ୟାକୁବ ନୂଆପଡା ଏସ୍‌ପି ପରମାର ସ୍ମିତଙ୍କୁ ମଙ୍ଗଳବାର ଫୋନ ଯୋଗେ ସବୁକଥା ଜଣାଇଥିଲେ। ଏହା ଉପରେ ବୋଡେନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କୁ ପଚାରିବାରେ ଏହା ଏକ ପାରିବାରିକ ମାମଲା। ଏହାକୁ ନେଇ ଛତିଶଗଡ଼ ପୋଲିସରେ ମାମଲା ରୁଜୁ ହୋଇଛି। ସେଠିକାର ପୋଲିସ ଟିମ ଆସିଥିଲେ। ହେଲେ ଅଭିଯୁକ୍ତମାନଙ୍କୁ ପାଇ ନ ଥିଲେ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri