କଲାପାଣି ଚାଷୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀ ସୁଶାନ୍ତଙ୍କ ଗିରଫ ଦାବି କଲା ଭାଜପା


ବରଗଡ଼ ଅଫିସ୍‌,୭।୧୧ ବରଗଡ଼ ଜିଲା କଲାପାଣି ଚାଷୀ ଆତ୍ମହତ୍ୟା ଘଟଣାକୁ ମଙ୍ଗଳବାର ସପ୍ତାହେ ପୂରି ଯାଇଛି। ମାତ୍ର ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶାସକ, ବିରୋଧୀ ପରସ୍ପର ଆରୋପ, ପ୍ରତ୍ୟାରୋପରେ ମାତିଛନ୍ତି। ସୋମବାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏହି ଆତ୍ମହତ୍ୟା ଘଟଣାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ୨ଟି ହ୍ବାଟ୍ସଆପ୍‌ ଭିଡ଼ିଓ ଦେଖାଇ ମୃତଚାଷୀ ବୃନ୍ଦାବନଙ୍କୁ ଆତ୍ମହତ୍ୟା ପାଇଁ ଭାଜପା କର୍ମୀମାନେ ଉତ୍ସାହିତ କରିଥିବା ଏବଂ ସେହି ଭିଡ଼ିଓକୁ ପୋଲିସକୁ ଦେବେ ବୋଲି ମନ୍ତବ୍ୟ ଦେବା ପରେ ଭାଜପା ଏବେ ସିଧାସଳଖ ମନ୍ତ୍ରୀ ସିଂଙ୍କୁ ଟାର୍ଗେଟ୍‌ କରିଛି। ମଙ୍ଗଳବାର ବରଗଡ଼ ପୁରୋହିତ ଭବନରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ମନ୍ତ୍ରୀ ସିଂଙ୍କ ବିରୋଧରେ ୩୦୨ଦଫାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛି। ପୋଲିସ ଯଦି ନିଜ ତରଫରୁ ମାମଲା ରୁଜୁ କରେ, ତେବେ ଭାଜପା ସୁଶାନ୍ତଙ୍କ ବିରୋଧରେ ଏତଲା ଦାଏର୍‌ କରିବ ବୋଲି ବିଧାୟକ ପୁରୋହିତ କହିଥିଲେ। ବରଗଡ଼ ଜିଲାରେ ୨ଜଣ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଛନ୍ତି। ମାତ୍ର ଆତ୍ମହତ୍ୟା କରିଥିବା ଶୋକାକୁଳ ପରିବାରକୁ ଭେଟିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଅନ୍ୟଥା ଚାଷୀମୃତ୍ୟୁକୁ ନେଇ ୨ମନ୍ତ୍ରୀ ବୟାନବାଜି କରୁଛନ୍ତି। ଏଭଳିସ୍ଥଳେ ଉଭୟ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଦେବା ଉଚିତ। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଚାଷୀମାନେ କିଭଳି ଦୁର୍ଦ୍ଦିନରୁ ମୁକ୍ତି ପାଇବେ, ସେ ସମ୍ପର୍କରେ ଚାଷୀଙ୍କ ସହିତ ଆଲୋଚନା କରିବାକୁ ବିଧାୟକ ପୁରୋହିତ ଆହ୍ବାନ କରିଥିଲେ। ଓଡ଼ିଶା ସରକାର ଛତିଶଗଡ଼ ସରକାର ଭଳି ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୩୦୦ ଟଙ୍କା ବୋନସ୍‌ ଦେବାକୁ ଦାବି କରିବା ସହିତ ଚର୍ଚ୍ଚିତ ହ୍ବାଟ୍ସଆପ୍‌ ଭିଡ଼ିଓ ରେକର୍ଡ଼ିଂ କରିଥିବା କଲାପାଣି ଗ୍ରାମର ଯୁବକ ନିର୍ଭୟ ଗୁପ୍ତା ଦଳର କର୍ମୀ ନୁହଁନ୍ତି, ଜଣେ ସମର୍ଥକ ବୋଲି ପୁରୋହିତ କହିଥିଲେ। ସେହିପରି ନିର୍ଭୟ କହିଥିଲେ, କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ସେ ସେହି ଭିଡ଼ିଓ ରେକର୍ଡ଼ିଂ କରି ନ ଥିଲେ। ସେ ମୃତଚାଷୀ ବୃନ୍ଦାବନଙ୍କ ଜଣେ ପଡ଼ୋଶୀ ଏବଂ ସୋସିଆଲ୍‌ ମିଡ଼ିଆ ଜରିଆରେ ସରକାରଙ୍କୁ ଅବଗତ କରିବା ପାଇଁ ବୃନ୍ଦାବନଙ୍କ ପୁଅଙ୍କ ଉପସ୍ଥିତିରେ ତାହା ରେକର୍ଡ଼ିଂ କରିଥିବା କହିଥିଲେ। ଭାଜପା ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଜିଲା ସମ୍ପାଦକ ରବି ନାରାୟଣ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେଶ୍ୱର ଶତପଥୀ, ଡା. ଅରୂପାନନ୍ଦ ସାହୁ, ପ୍ରୀତମ ସିଂ, ସୌରୀଚରଣ ବାରିକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଭାଜପା ନେତା ଓ କର୍ମୀଙ୍କ ମାନସିକ ବିକୃତି ଘଟିଛି। ସେଥିପାଇଁ ଭିଡ଼ିଓ ରେକର୍ଡ଼ିଂ କରି ନିଜେ ଭାଜପା ଆତ୍ମହତ୍ୟାର ପ୍ଲଟ୍‌ ତିଆରି କରୁଛି। ସେହିପରି ମନ୍ତ୍ରୀ ଛୁରିଆ କହିଛନ୍ତି, ବିଜେଡ଼ି ସବୁବେଳେ ଚାଷୀଙ୍କ ସହିତ ରହିଛି। ସମସ୍ତ ଦୈବୀ ଦୁର୍ବିପାକ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ, ସହଯୋଗର ହାତ ବଢ଼ାଇଛନ୍ତି। କିନ୍ତୁ କେନ୍ଦ୍ରରେ ସାଢ଼େ ୩ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ବେ ଚାଷୀଙ୍କ ପାଇଁ କିଛି ବି କାମ କିମ୍ବା ଯୋଜନା କରି ନ ଥିବା ଭାଜପାର ନେତା, ବିଧାୟକମାନେ ବିଜେଡ଼ିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେଭଳି ବୟାନବାଜି କରିବା ହାସ୍ୟାସ୍ପଦ ଛଡ଼ା ଅନ୍ୟ କିଛି ନୁହେଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri