ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଜିଲାପାଳ ଅଫିସ ଘେରାଉ, ପୋଲିସ ସହ ଧସ୍ତାଧସ୍ତି


ବରଗଡ଼ ଅଫିସ୍‌, ୭।୧୧ ବରଗଡ଼ ଜିଲା କଲାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ ରାଜନୀତି ଜୋର୍‌ ଧରିଛି। ୬ ଦଫା ଦାବି ନେଇ କଂଗ୍ରେସ ନେତା ଓ କର୍ମୀମାନେ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ମଙ୍ଗଳବାର ଏକ ବିଶାଳ ରାଲିରେ ଆସି ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସହିତ ଆଲୋଚନା ବିଫଳ ହେବାରୁ କଂଗ୍ରେସ ନେତା ଓ କର୍ମୀମାନେ ଜିଲାପାଳ ଅଫିସ୍‌କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହିତ କିଛି ସମୟ ଧରି ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ଜୟଦେବ ଜେନା, କିଶୋର ପଟେଲ, ପ୍ରକାଶ ଚନ୍ଦ୍ର ଦେବତା, ରିପୁନାଥ ସେଠ, ସତ୍ୟଭୂଷଣ ସାହୁ, ସାଧୁ ନେପାକ, ନିହାର ରଞ୍ଜନ ମହାନନ୍ଦ, କିଶାନ ସେଲ୍‌ର ସଭାପତି ଅମୀୟ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢ଼ୀ, ଶୁଭେନ୍ଦୁ ମହାନ୍ତି, ପ୍ରଣୟ ସାହୁଙ୍କ ସମେତ ଦଳୀୟ ନେତା ଓ କର୍ମୀଙ୍କୁ ସେଠାରୁ ଉଠାଇ ନେଇ ନୂତନ ପୋଲିସ ରିଜର୍ଭ ଅଫିସରେ ରଖିଥିଲା। ସନ୍ଧ୍ୟା ୬ଟାରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ କାହାରିକୁ ଗିରଫ କରାଯାଇ ନାହିଁ। ଆନ୍ଦୋଳନରେ ସାମିଲ୍‌ ଥିବା ୨୭ଜଣଙ୍କୁ ଆଣି ରିଜର୍ଭ ଅଫିସ୍‌ରେ ରଖାଯାଇଥିଲା ବୋଲି ଟାଉନ ଥାନା ଆଇଆଇସି ରାଜକିଶୋର ମିଶ୍ର କହିଛନ୍ତି। ବରଗଡ଼ ଗୋଶାଳା ଛକରୁ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଏକ ବିଶାଳ ରାଲିରେ ଜିଲାପାଳଙ୍କ ଅଫିସ୍‌ ଅଭିମୁଖେ ଆସିଥିଲେ। ସେଠାରେ ସେମାନେ କୃଷିମନ୍ତ୍ରୀ ଡା.ଦାମୋଦର ରାଉତଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀ ସେଠାକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା କାଳରେ ୬ ଦଫା ଦାବି ଉପରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବଙ୍କଠାରୁ ବୁଝି ତାର ଜବାବ ଦେବାକୁ ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ଫଳରେ ଜିଲାପାଳ ସେଠାରୁ ଫେରି ଯାଇଥିଲେ ଏବଂ କିଛି ସମୟ ପରେ ପୁଣି ସେଠାକୁ ଆସି ସଚିବଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବା କହିଥିଲେ। ଫଳରେ ଦଳୀୟ ନେତା ଓ କର୍ମୀମାନେ ଉତ୍ତ୍ୟକ୍ତ ହୋଇ ପୋଲିସ କର୍ଡ଼ନ ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଅତିରିକ୍ତ ଏସ୍‌ପି ଯଶୋବନ୍ତ ସେନାପତି, ଏସ୍‌ଡ଼ିପିଓ ସୁରେଶ କୁମାର ନାଏକ, ଟାଉନ ଥାନା ଆଇଆଇସି ରାଜକିଶୋର ମିଶ୍ର, ସଦର ଥାନା ଅଧିକାରୀ ମମତା ନାଏକଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଓ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri