ପିଇଓ, ଦୁଇ ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା


ନୂଆପଡ଼ା ଅଫିସ,୭।୧୧- ପଞ୍ଚାୟତର ବିନା ଅନୁମୋଦନ କ୍ରମେ ନୂଆପଡ଼ା ସଦର ବ୍ଲକର ବେଲଟୁକୁରୀ ଓ ଭାଲେଶ୍ୱର ପଞ୍ଚାୟତରେ ଏସ୍‌ଏଫ୍‌ସି (ଷ୍ଟେଟ ଫାଇନାନ୍ସ କମିଶନ) ଓ ସିଏଫ୍‌ସି (ସେଣ୍ଟ୍ରାଲ ଫାଇନାନ୍ସ କମିଶନ) ଅନୁଦାନ ବାବଦ ୮୬ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଜିଲାପାଳ ଡା. ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଦୁଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ବେଲଟୁକୁରୀ ଥାନାରେ ମାମଲା ରୁଜୁ ହୋଇଛି। ଏହା ଉପରେ ବେଲଟୁକୁରୀ ଥାନା ପୋଲିସ ତନାଘନା ତଦନ୍ତ ଜାରି ରଖିଥିବାବେଳେ ବର୍ତ୍ତମାନ ପଞ୍ଚାୟତରେ ସବୁକାମ ଏକ ପ୍ରକାର ଠପ୍‌ ହୋଇପଡ଼ିଥିବାରୁ ବ୍ଲକ କର୍ତ୍ତୃପକ୍ଷଙ୍କ ନିଦ ହଜିଯାଇଛି। ସରକାର ବର୍ତ୍ତମାନ ପଞ୍ଚାୟତଗୁଡ଼ିକର ଉନ୍ନତି ପାଇଁ ବାର୍ଷିକ ଏସ୍‌ଏଫ୍‌ସି ଓ ସିଏଫ୍‌ସି ପାଣ୍ଠରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରୁଛନ୍ତି। ଏହାକୁ ପଞ୍ଚାୟତ ପ୍ରତିନିଧିମାନଙ୍କ ବୈଠକ ଜିପିଡିପି (ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ରୋଗ୍ରାମ) ଅନୁମୋଦନ ପରେ ଖର୍ଚ୍ଚ କରାଯିବାର ନିୟମ ରହିଛି। ହେଲେ ଏହି ଦୁଇ ପଞ୍ଚାୟତରେ ଏଥି୍‌ରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି। ୨୦୧୬-୧୭ ଓ ୧୭-୧୮ ଆର୍ଥିକବର୍ଷ ପାଇଁ ବରାଦ ହୋଇଥିବା ଅନୁଦାନ ଟଙ୍କା ଜିପିଡିପି ବୈଠକର ବିନାନୁମୋଦନରେ ଉଠାଣ କରାଯାଇଛି। ଏହି ବାବଦ କୌଣସି କାମ ମଧ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏଥିରେ ତତ୍କାଳୀନ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ଥିବା ଉଭୟ ପଞ୍ଚାୟତବାସୀ ସୋମବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଜିଲାପାଳ ତୁରନ୍ତ ବିଡିଓ ସୁନୀଲ କୁମାର କେର୍କେଟାଙ୍କୁ ତଦନ୍ତ କରି ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବେଲଟୁକୁରୀ ଥାନାରେ ଦଫା ୪୦୬, ୪୦୯ରେ ଏକ ମାମଲା (ନଂ.-୧୦୧/୨୦୧୭) ରୁଜୁ ହୋଇଛି। ଏଥିରେ ଅଭିଯୁକ୍ତଭାବେ ପୂର୍ବତନ ବେଲଟୁକୁରୀ ସରପଞ୍ଚ ଜୟପ୍ରକାଶ ସତନାମୀ, ପୂର୍ବତନ ଭାଲେଶ୍ୱର ସରପଞ୍ଚ ଚୈତରାମ ନାଏକ, ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପବିତ୍ର ପ୍ରଧାନ ଓ ଅନ୍ୟାନ୍ୟଙ୍କ ନାମରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି। ଏହାକୁ ନେଇ ମଙ୍ଗଳବାର ନୂଆପଡ଼ା ବିଡିଓ ଅନ୍ୟ ଅଧିକାରୀଙ୍କ ସହ ଥାନାକୁ ଆସି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଏହି ଦୁଇ ପଞ୍ଚାୟତରେ ବର୍ତ୍ତମାନ ଟଙ୍କାଟିଏ ନ ଥିବାବେଳେ ନୂତନ କରି ନିଯୁକ୍ତ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୂର୍ବତନ ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଆସୁଥିଲା। ବର୍ତ୍ତମାନ ପ୍ରଶାସନିକ ତତ୍ପରତା ଉପରେ ପଞ୍ଚାୟତବାସୀ ସାଧୁବାଦ ଜଣାଇଛନ୍ତି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସାହୁ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri