ପ୍ରସୂତିଙ୍କୁ ଚିକିତ୍ସାରେ ଅବହେଳା: ନ୍ୟାୟ ଦାବିକଲେ ସ୍ବାମୀ, ଘଟଣା ଚପାଇବାକୁ ଉଦ୍ୟମ


ଲୋଇସିଂହା,୭।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଅବହେଳା ଯୋଗୁ ଦୁମଦୁମି ଗ୍ରାମର ପ୍ରସୂତି ମହିଳା ତାରାବତୀ ମେର୍ଲିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ଦାଶରଥୀ କ୍ଷୋଭ ପ୍ରକାଶ କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ସଚିବ, ନିର୍ଦ୍ଦେଶକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଛନ୍ତି। ଲୋଇସିଂହା ବ୍ଲକ କୁଟେନପାଲି ପଞ୍ଚାୟତ ଦୁମଦୁମି ଗ୍ରାମର ଦାଶରଥୀ ମେର୍ଲିଙ୍କ ସ୍ତ୍ରୀ ତାରାବତୀ ଦ୍ୱିତୟଥର ଗର୍ଭ ଧାରଣ କରିଥିଲେ। ନଭେମ୍ବର ୪ ତାଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ଥିଲା। ସେ ବଲାଙ୍ଗୀର ଏକ ନର୍ସିଂହୋମ୍‌ ଡାକ୍ତରଙ୍କ ପରାମର୍ଶ ନେଉଥିଲେ। ଗତ ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହେବାରୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ପାଖକୁ ଆସି ପରାମର୍ଶ ନେଇଥିଲେ। ତେବେ ସମୟ ହୋଇନାହିଁ କହି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ। ସଂଧ୍ୟାରେ ଅନ୍ତ୍ରଣା ଅସହ୍ୟ ହେବାରୁ ଅଧିକାରୀଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବୁଧବାର ସକାଳେ ପୁଣି ଚିକିତ୍ସା ଅଧିକାରୀଙ୍କ ପାଖକୁ ଯିବାରୁ ସେ ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କଠାରେ ଅଲଟ୍ରାସଣ୍ଡ କରିବାକୁ ଏକ ଚିଠା ଦେଇ ପଠାଇଥିଲେ। କିନ୍ତୁ ଏବେ ଅଲଟ୍ରାସଣ୍ଡ ହୋଇ ପାରିବ ନାହିଁ ବୋଲି ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରୋକଠୋକ କହିଥିଲେ। ପରିବାର ଲୋକେ ଡାକ୍ତରଙ୍କୁ ନେହୁରା ହୋଇଥିଲେ ମଧ୍ୟ କିଛି ନ ଶୁଣିବାରୁ ଫେରି ଆସି ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ପରେ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଆଶାକର୍ମୀଙ୍କ ଉପସ୍ଥିତିରେ ତାରାବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ରକ୍ତଚାପ ବଢ଼ିଯାଇଛି କହି କିଛି ଔଷଧ ଖାଇବାକୁ ଦେଇଥିଲେ। ପରେ ଅଲଟ୍ରାସଣ୍ଡ କରିବା ପରେ ଗର୍ଭସ୍ଥ ଶିଶୁର ୩ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା କହି ବଲାଙ୍ଗୀର ନେଇଯିବାକୁ ପରାମର୍ଶ ଦେଇଥିଲେ। ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କଠାରୁ ଏହା ଶୁଣି ତାରାବତୀ ଓ ତାଙ୍କ ପରିବାର ଲୋକ ଭୟଭୀତ ହୋଇପଡ଼ିଥିଲେ। ପରେ ପୂର୍ବରୁ ପରାମର୍ଶ ନେଉଥିବା ନର୍ସିଂହୋମ୍‌ ଡାକ୍ତରଙ୍କ ପାଖକୁ ନେଇଥିଲେ। ସଂଧ୍ୟାରେ ସେଠାରେ ଅସ୍ତ୍ରୋପଚାର କରାଯାଇ ମୃତ ଶିଶୁକୁ କଢ଼ାଯାଇଥିଲା। ଉକ୍ତ ଦିନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ନର୍ସିଂହୋମ୍‌ରେ ପହଞ୍ଚି ଦାଶରଥୀଙ୍କୁ ଧମକ ଚମକ ଦେଇଥିଲେ ବୋଲି ଦାଶରଥୀ ଅଭିଯୋଗ କରିଛନ୍ତି। ସେହିପରି ନର୍ସିଂରୋମ ମାଲିକଙ୍କ ନାଁରେ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି। ନର୍ସିଂହୋମ ମାଲିକ କାହା ପ୍ରରୋଚନାରେ ଅଧାର କାର୍ଡ ଓ ଭୋଟର ପରିଚୟପତ୍ର ନାଁରେ ଦୀର୍ଘ ସମୟଧରି ରୋଗୀ ଓ ପରିବାର ଲୋକଙ୍କୁ ଅଟକ ରଖି ମାନସିକ ଆଘାତ ଦେଇଥିବା ଦାଶରଥୀ କହିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାଶରଥୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ଏହାକୁ ଚପାଇ ଦେବାବାକୁ ରାଜନୈତିକ ଚାପ ପକାଯାଉଥିବା ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri