୨ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ତଦନ୍ତ, ପରିବାରକୁ ଭେଟିଲେ ଅଧିକାରୀ


ମାନେଶ୍ୱର,୭।୧୧(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ଭୋଇପାଲି ଗ୍ରାମର ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାର ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞ ଦଳ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ଉଭୟ ଚାଷୀଙ୍କ ପରିବାରକୁ ଭେଟି ପଚରାଉଚରା କରିଛନ୍ତି। ଏହାସହ ଉଜୁଡ଼ି ଯାଇଥିବା ଚାଷଜମି ପରିଦର୍ଶନ କରିଛନ୍ତି। ମାନେଶ୍ୱର ଓ ଭୋଇପାଲି ଗ୍ରାମରେ ଥିବା ୨ଟି କୀଟନାଶକ ଔଷଧ ଦୋକାନ ଉପରେ ଚଢ଼ାଉ କରି ଔଷଧର ମାନ ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛନ୍ତି। ତଦନ୍ତକାରୀ ଟିମ୍‌ରେ ବିଶେଷଜ୍ଞ ଡା. ଶ୍ରୀକାନ୍ତ ସାହୁ, ନୟନ ବରାଳ, ଅଶୋକ ନାୟକ ରହିଥିବାବେଳେ କୃଷି ବିଭାଗ ପକ୍ଷରୁ ରମେଶ ଚନ୍ଦ୍ର ପଟେଲ, ଟଙ୍କଧର ନାଥ, ନିହାରିକା ବିଶ୍ୱାଳ ସାମିଲ ଥିଲେ। ଧାନ ଫସଲ ରୋଗପୋକ ଶିକାର ହୋଇଛି। କିଛି ମାତ୍ରାରେ ଧାନ ସୁରକ୍ଷିତ ରହିଛି। ଆଗାମୀ ଦିନରେ ପ୍ରତ୍ୟେକ ଔଷଧ ଦୋକାନରେ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ କରାଯିବ। ଚାଷୀ ଯେପରି ଆତ୍ମହତ୍ୟା ନ କରିବେ ତଥା ଫସଲରେ ନିଆଁ ନ ଲଗାଇବେ ସେଥିପ୍ରତି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ପଟେଲ କହିଛନ୍ତି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମର ଚାଷୀ ଉତ୍ସବ ମିର୍ଦ୍ଧା ଓ ଦେବାନନ୍ଦ ଧରୁଆ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟ ଜିଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଚକଡ଼ା ଓ ଅନ୍ୟାନ୍ୟ ରୋଗ ପୋକରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ହତାଶ ହୋଇ ସେମାନେ ଏପରି ପଦକ୍ଷେପ ନେଇଥିବା କହିଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri