ମାଓବାଦୀ-ପୋଲିସ ଗୁଳି ବିନିମୟ, ଯବାନଙ୍କ ପେଟରେ ବାଜିଛି ଗୁଳି


ବଲାଙ୍ଗୀର ଅଫିସ, ୬।୧୧-ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରେ ରବିବାର ରାତିରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ତାଙ୍କୁ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଅଧିକ ଚିକିତ୍ସା ପାଇଁ ସୋମବାର ଆହତ ଯବାନଙ୍କୁ ପବନହଂସ ହେଲିକପ୍ଟର ଯୋଗେ ବିଶାଖାପାଟଣା ସେଭେନ୍‌ ହିଲସ୍‌ ହସ୍ପିଟାଲ ନିଆଯାଇଛି। ଆହତ ଯବାନ ହେଲେ ବେଲପଡା ବ୍ଲକ୍‌ କାନୁଟ ଗାଁର ଚନ୍ଦ୍ରଭାନୁ ବଏ (୩୦)। ଜିଲା ପୋଲିସ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ଉତ୍ତରାଞ୍ଚଳ ପୋଲିସ ଆଇଜି ସୁଶାନ୍ତ କୁମାର ନାଥ ଓ ଏସ୍‌ପି କେ. ଶିବା ସୁବ୍ରମଣି ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁଯାୟୀ ଛତରଦାଣ୍ଡି ଜଙ୍ଗଲ ଭିତରେ ଥିବା ଏକ ଗାଁରେ ମାଓବାଦୀମାନେ ଥିବା ଖବର ମିଳିବା ପରେ ପୋଲିସ ପକ୍ଷରୁ ରବିବାର ସକାଳୁ କୋମ୍ବିଂ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ପୋଲିସ ମହଖଣ୍ଡ ଗାଁ ନିକଟକୁ ଆସିବା ବେଳେ ପ୍ରାୟ ୨୦ଜଣ ମାଓବାଦୀ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପୋଲିସ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟ ବେଳେ ଡିଏଭି ବାଟାଲିୟନର ଯବାନ ଚନ୍ଦ୍ରଭାନୁ ବଏଙ୍କ ପେଟରେ ଏକ ଗୁଳି ବାଜିଥିଲା। ଗୁଳି ତାଙ୍କ ପେଟର ପଶି ପିଠି ପଟେ ବାହାରି ଯାଇଥିଲା। ଅନ୍ୟ ଯବାନମାନେ ଚନ୍ଦ୍ରଭାନୁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜିଲାପାଳ ଆଶିଷ ଠାକ୍‌ରେ, ସିଡିଏମ୍‌ଓ ଡା. ସୁଜ୍ଞାନେନ୍ଦ୍ର ମିଶ୍ର, ସଦର ଏସ୍‌ଡିପିଓ ନାରାୟଣ ନାୟକ ଡାକ୍ତରଖାନାରେ ପହଞ୍ଚି ଚନ୍ଦ୍ରଭାନୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୋମବାର ସକାଳେ ଉତ୍ତରାଞ୍ଚଳ ଆଇଜି ନାଥ, ଆଇଜି (ଅପରେଶନ୍‌) ଆର୍‌.ପି. କୋଚେ ବଲାଙ୍ଗୀରରେ ପହଞ୍ଚିବା ପରେ ଚନ୍ଦ୍ରଭାନୁଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅପରପକ୍ଷରେ ଗୁଳି ବିନିମୟ ପରେ ମାଓବାଦୀମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଛନ୍ତି। ତେବେ ଛରତଦାଣ୍ଡି ଜଙ୍ଗଲରେ ଛାଡ଼ିଯାଇଥିବା କିଛି ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ସୁବ୍ରମଣି ସୂଚନା ଦେଇଛନ୍ତି। ପୋଲିସ ଗୋଇନ୍ଦା ସୂଚନା ପାଇବାରେ ବିଫଳ ହୋଇଥିବା ଏହି ଘଟଣାରୁ ଅନୁମାନ କରାଯାଇଛି ବୋଲି ଉଠିଥିବା ଅଭିଯୋଗକୁ ଆଇଜି ନାଥ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୋଲିସ ପାଖରେ ମାଓବାଦୀ ଗତିବିଧି ସମ୍ପର୍କରେ ସୂଚନା ରହିଥିଲା। ତେବେ ମହଖଣ୍ଡ ଗାଁ ନିକଟରେ ଏହି ଗୁଳି ବିନିମୟ ହୋଇଥିବାରୁ ସାଧାରଣ ଲୋକଙ୍କର ଯେପରି କ୍ଷତି ନ ହୁଏ ସେଥି୍‌ପ୍ରତି ପୋଲିସ ବିଶେଷ ଧ୍ୟାନ ଦେଇଥିଲା। ପୋଲିସର କୋମ୍ବିଂ ଅପରେଶନ୍‌ ଜାରି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri