ଗଡ଼ି ପାରୁନି କୁଚିଣ୍ଡା-ସମ୍ବଲପୁର ସିଟି ବସ୍‌


କୁଚିଣ୍ଡା,୬।୧୧(ଡି.ଏନ୍‌.ଏ.)- ଘରୋଇ ବସ୍‌ ମାଲିକଙ୍କ ବିରୋଧ ଯୋଗୁ ସମ୍ବଲପୁରରୁ କୁଚିଣ୍ଡାକୁ ସିଟି ବସ୍‌ ଗଡ଼ିପାରୁନାହିଁ। ଏହି ସେବା ଶୀଘ୍ର ଆରମ୍ଭ କରିବାକୁ ଆଦିବାସୀ ନେତା ଗଜେନ୍ଦ୍ର ଭୋଇ, ମହେନ୍ଦ୍ର ବାଘ ଓ ନନ୍ଦଲାଲ ସାହୁଙ୍କ ନେତୃତ୍ୱରେ କୁଚିଣ୍ଡା ଉପଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଏକ ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳ। ଗମନାଗମନ ପାଇଁ ବସ୍‌ ହିଁ ଏକମାତ୍ର ଭରସା। ସମ୍ବଲପୁରରୁ ଦେବଗଡ଼, ଝାରସୁଗୁଡ଼ା ଓ ଅନ୍ୟ ଅଞ୍ଚଳକୁ ସିଟି ବସ୍‌ ସେବା ଆରମ୍ଭ ହୋଇଛି। କୁଚିଣ୍ଡାରୁ ସମ୍ବଲପୁରକୁ ସିଟି ବସ୍‌ ସେବା ପାଇଁ ଅଞ୍ଚଳବାସୀ ଆଗରୁ ଅନେକ ଥର ଦାବି କରିଆସୁଥିଲେ। ତେବେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସିବା ସମୟରେ କୁଚିଣ୍ଡାକୁ ସିଟି ବସ୍‌ ସେବା ଆରମ୍ଭ ହେବା ନେଇ ଘୋଷଣା କରିଥିଲେ। ଗତ ୧ ତାରିଖ କୁଚିଣ୍ଡା ଉପଜିଲାପାଳ ଚଞ୍ଚଳ ରାଣା ସିଟି ବସ୍‌ ସେବାର ଉଦ୍‌ଘାଟନ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଘରୋଇ ବସ୍‌ ମାଳିକ ସଂଘ ଏହାକୁ ବିରୋଧ କରିବା ପରେ ବର୍ତ୍ତମାନ ସେବା ବନ୍ଦ ହୋଇଯାଇଛି। ଫଳରେ କୁଚିଣ୍ଡାରେ ଅସନ୍ତୋଷ ଦେଖାଦେଇଛି। କୁଚିଣ୍ଡା, ଜମନକିରା ଓ ଭୋଜପୁର ଲୋକେ ଏ ନେଇ କୁଚିଣ୍ଡା ଉପଜିଲାପାଳଙ୍କ ଜରିଆରେ ଜିଲାପାଳଙ୍କୁ ସିଟି ବସ୍‌ ସେବା ଆରମ୍ଭ ପାଇଁ ନିବେଦନ କରିଛନ୍ତି। ଶୀଘ୍ର ସେବା ଆରମ୍ଭ ନ କଲେ ରାସ୍ତାରୋକୋ କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଜଣାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri