ଆଉ ୨ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ


ମାନେଶ୍ୱର,୬।୧୧(ଡି.ଏନ୍‌.ଏ.)- ଚକଡ଼ା ପୋକ ଯୋଗୁ ଫସଲହାନି ହେବାରୁ ଚାଷୀ କ୍ଷେତରେ ନିଆଁ ଲଗାଇବା ସହ ଆତ୍ମହତ୍ୟା ବାଟ ଆପଣାଇ ନେଉଛନ୍ତି। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମର ୨ଜଣ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶୁକ୍ରବାର ଗ୍ରାମର ଉତ୍ସବ ମିର୍ଦ୍ଧା କୀଟନାଶକ ପିଇ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ରବିବାର ସେହି ଗ୍ରାମର ଚାଷୀ ଦେବାନନ୍ଦ ଧରୁଆ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦେବାନନ୍ଦଙ୍କୁ ମଧ୍ୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉତ୍ସବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଚକଡ଼ା ଓ ଅନ୍ୟାନ୍ୟ ରୋଗ ପୋକରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ହତାଶ ହୋଇ ସେମାନେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଯୁବଚାଷୀ ଦେବାନନ୍ଦଙ୍କ କହିବାନୁସାରେ, ସେ ଚଳିତବର୍ଷ ୧ ଏକର ଜମିରେ ପ୍ରଥମକରି ଚାଷ ଆରମ୍ଭ କରିଥିଲେ। ଆରମ୍ଭରୁ ଧାନ ଗଛରେ ବିଭିନ୍ନ ରୋଗ ଲାଗିଥିଲା। ବାରମ୍ବାର ଔଷଧ ସିଞ୍ଚନ କରିବା ପରେ କିଛି ଅଂଶରେ ଧାନ ଫସଲ ହୋଇଥିଲା। ହେଲେ ଚକଡ଼ା ପୋକ ଲାଗି ଧାନ ଗଛ ପାଳ ହୋଇଯାଇଛି। ରବିବାର ଧାନ ଫସଲରେ ଔଷଧ ସିଞ୍ଚନ କରିବା ପରେ ସେ ଘରକୁ ଫେରି ଚିନ୍ତାରେ ବସିଥିଲେ। ଫସଲ ଅମଳ ହେବନାହିଁ, ଗ୍ରୁପ୍‌ ଋଣ କିପରି ପରିଶୋଧ କରିବେ ବୋଲି ସେ ମାନସିକ ଭାରସାମ୍ୟ ହରାଇ ଘର ଭିତରକୁ ଯାଇ କୀଟନାଶକ ପିଇଦେଇଥିଲେ। ସ୍ତ୍ରୀ ଓ ପରିବାର ଲୋକେ ଜାଣିବା ପରେ ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେହିପରି ଉତ୍ସବ ସାଢ଼େ ୩ଏକର ଜମିରେ ସର୍ଣ୍ଣା ଧାନ ଚାଷ କରିଥିଲେ। ରୋଗ ପୋକ ନିୟନ୍ତ୍ରଣ ପାଇଁ ୭ଥର କୀଟନାଶକ ସିଞ୍ଚନ କରିଥିଲେ। ହେଲେ ରୋଗ ପୋକ ପ୍ରାଦୁର୍ଭାବ କମି ନ ଥିଲା। ତାଙ୍କର ପ୍ରାୟ ୨ଏକରରୁ ଅଧିକ ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି। ଋଣ ପରିଶୋଧକୁ ନେଇ ଚିନ୍ତାରେ ଥିଲେ। ଶେଷରେ ଆତ୍ମହତ୍ୟା ବାଟ ଆପଣାଇ ନେଉଥିବା ସେ କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri