ନବଜାତ ଶିଶୁକନ୍ୟା ଉଦ୍ଧାର: ଚାଇଲ୍‌ଡ଼ ଲାଇନକୁ ହସ୍ତାନ୍ତର


ବେଲପାହାଡ଼,୫।୧୦(ଡ଼ି.ଏନ୍‌.ଏ)-ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଝଣ୍ଡାପଡ଼ାରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ପଡ଼ାବାସୀ ଉଦ୍ଧାର କରିଛନ୍ତି। ପୋଲିସ ଏହି ଶିଶୁକନ୍ୟାକୁ ଚାଇଲ୍‌ଡ଼ ଲାଇନ ସଦସ୍ୟାଙ୍କୁ ହସ୍ତାନ୍ତର କରିଛି। ଗୁରୁବାର ସକାଳେ ଝଣ୍ଡାପଡ଼ାର ଅନୱର ହୁସେନ ନାମକ ଜଣେ ଯୁବକ ପଡ଼ାର ଏକ ନିଛାଟିଆ ସ୍ଥାନରେ ଏହି ଶିଶୁକନ୍ୟା ପଡ଼ିଥିବା ଦେଖିଥିଲେ। ସେ ପଡ଼ାର ଅନ୍ୟ ଲୋକଙ୍କ ସହାୟତାରେ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ସ୍ଥାନୀୟ ଟିଆର୍‌ଏଲ କ୍ରୋସାକି ରିଫ୍ରାକ୍ଟୋରିଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉକ୍ତ ଘଟଣା ପ୍ରଘଟ ହେଲା ପରେ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା। ଶିଶୁକନ୍ୟା ଉଦ୍ଧାର ହୋଇଥିବା ବିଷୟରେ ଚାଇଲ୍‌ଡ଼ ଲାଇନ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ପୂର୍ବାହ୍ନରେ ଚାଇଲ୍‌ଡ଼ ଲାଇନର ସଦସ୍ୟା ଝରଣା ଦୀପ ଓ ଡ଼ୋଳାମଣି ସେଠ ଶିଶୁକନ୍ୟାଙ୍କୁ ନେଇଯିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ସେତେବେଳେ ହଠାତ୍‌ ଜଣେ ଯୁବତୀ ହସ୍ପିଟାଲରେ ପହଞ୍ଚି ଉଦ୍ଧାର ହୋଇଥିବା ଶିଶୁକନ୍ୟା ତାଙ୍କର ଜନ୍ମ କଲା ସନ୍ତାନ ବୋଲି ଦାବି କରିଥିଲେ। ଏଥିସହିତ ଲୋକଲଜ୍ଜା ଯୋଗୁ ସେ ଶିଶୁକନ୍ୟାକୁ ନିଛାଟିଆ ସ୍ଥାନରେ ଛାଡ଼ି ଆସିଥିଲେ ବୋଲି ପ୍ରକାଶ କରିଥିଲେ। ନିଜର ଶିଶୁକନ୍ୟା ଦାବି କରୁଥିବା ଯୁବତୀ ଜଣକ ବିବାହିତା। ମାତ୍ର ତାଙ୍କର ସ୍ବାମୀ ତାଙ୍କୁ ଛାଡ଼ି ଦେଲା ପରେ ସେ ଏବେ ପିତାମାତାଙ୍କ ସହିତ ରହୁଛନ୍ତି। ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ସେ ଜଣେ ଯୁବକଙ୍କୁ ଦାୟୀ କରିଛନ୍ତି। ଯୁବତୀ ଜଣକ ପୋଲିସ ଓ ଚାଇଲ୍‌ଡ଼ ଲାଇନ ସଦସ୍ୟାଙ୍କ ନିକଟରେ ସେହି ଯୁବକଙ୍କ ନାମ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଚାଇଲ୍‌ଡ଼ ଲାଇନ ସଦସ୍ୟା ଝରଣା ଦୀପଙ୍କୁ ପଚରାଯିବାରୁ ନବଜାତ ଶିଶୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଗଲା ପରେ ଶିଶୁ କଲ୍ୟାଣ କମିଟି (ସିଡ଼ବ୍ଲୁସି)କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri