ସମ୍ବଲପୁର ଜିଲା ବସନ୍ତପୁରରେ ହେବ ୱାଟର ପାର୍କ


ସମ୍ବଲପୁର,୪।୧୦(ବ୍ୟୁରୋ)-ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅନ୍ତର୍ଗତ ବସନ୍ତପୁରରେ ୱାର୍ଟର ପାର୍କ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏଥିପାଇଁ ମୋଟ ୮ଏକର ଜମି ଆବଶ୍ୟକ। ଇଡକୋ ଜମି ଯୋଗାଇ ଦେବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏକ ସଂସ୍ଥା ଏଠାରେ ୱାଟର ପାର୍କ ନିର୍ମାଣ କରିବାକୁ ଆବେଦନ କରିଛି। ଏଥିପାଇଁ ଗତ ଜୁନ ୨୩ରେ ଜିଲାପାଳ ସମର୍ଥ ବର୍ମା ଓ ସିଙ୍ଗଲ୍‌ ୱିଣ୍ଡୋ କମିଟି ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା। ଜମି ଯୋଗାଇ ଦେବାକୁ ଇଡକୋ ଅଫିସ୍‌ ସମ୍ବଲପୁରକୁ ଚିଠି ଲେଖାଯାଇଛି। ଏହାକୁ ଇଡକୋ ଜେନେରାଲ ମ୍ୟାନେଜର ଏସ୍‌.କେ. ଜେନା ମୁଖ୍ୟାଳୟକୁ ପଠାଇ ଦେଇଛନ୍ତି। ଇଡକୋ ମୁଖ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଏଠାରେ ପ୍ରସ୍ତାବିତ ୱାଟର ପାର୍କ ନିର୍ମାଣ ହେବାର ଯୋଜନା ରହିଛି। ଏହା ନିର୍ମାଣ ହେଲେ ସମ୍ବଲପୁରକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ। ସେହିପରି ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଜନସାଧାରଣ ସପରିବାର ୱାଟର ପାର୍କରେ ଅବସର ବିନୋଦନ କରିବେ। ଏ ବାବଦରେ ଜିଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରୁ ପିପିପି ମୋଡରେ ଏହା ନିର୍ମାଣ ହେବ। ବେସରକାରୀ ସଂସ୍ଥା ଜମି ନେବାକୁ ଇଡକୋ ନିକଟରେ ଆବେଦନ କରିଛନ୍ତି। ଏହା ସ୍ବୀକୃତି ପର୍ଯ୍ୟାୟରେ ରହିଛି। ସ୍ବୀକୃତି ମିଳିବା ପରେ ଏହି ଜମିରେ ୱାଟର ପାର୍କ ନିର୍ମାଣ ହେବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଜିଲାପାଳ କହିଛନ୍ତି। ସମ୍ବଲପୁର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ଏଥିସହ ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଡ୍ୟାମ୍‌ ଅନ୍ୟତମ। ସେହିପରି ପଶ୍ଚିମ ଓଡିଶାର ଇଷ୍ଟଦେବୀ ସମଲେଶ୍ୱରୀ, ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ବକ୍ର ମନ୍ଦିର ଓ ଧନକଉଡା ବ୍ଲକ ଚିପିଲିମାର ଘଣ୍ଟେଶ୍ୱରୀ ମନ୍ଦିର ଭକ୍ତଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ। ଯଦ୍ୱାରା ସମ୍ବଲପୁରକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଐତିହାସିକ ମନ୍ଦିର ଦେଖିବାକୁ ମନବଳାଇଥାନ୍ତି। ଅପରପକ୍ଷେ ବିଶ୍ୱ ବିଦିତ ସମ୍ବଲପୁରୀ ହସ୍ତତନ୍ତ, ଉଷାକୋଠି ଅଭୟାରଣ୍ୟ, କନ୍ଧରାସ୍ଥିତ ଭୀମ ଭୋଇଙ୍କ ଜନ୍ମସ୍ଥାନ ଏବଂ ଗୁଦ୍‌ଗୁଦା ଭଳି ରମଣୀୟ ସ୍ଥାନ ରହିଛି। ଏଥିସହ ବାରପାହାଡ ଅଭୟାରଣ୍ୟ ମଧ୍ୟରେ ରହିଛି ବିଭିନ୍ନ କଟେଜ୍‌(ନିବାସ ସ୍ଥଳୀ)। ଏଠାକୁ ଆସୁଥିବା ଦେଶ ତଥା ବିଦେଶର ପର୍ଯ୍ୟଟକମାନଙ୍କ ହୃଦୟରେ ଉପରୋକ୍ତ ପର୍ଯ୍ୟଟନସ୍ଥଳୀଗୁଡିକ ସ୍ମୃତିରେଖା ହୋଇ ରହିଥାଏ। ସେମାନେ ଏହି ଅଞ୍ଚଳର କଳା, ଭାଷା, ସଂସ୍କୃତି, ନୃତ୍ୟ, ଗୀତ ସହ ସାମିଲ ହୋଇଥାନ୍ତି। ଏହି ପର୍ଯ୍ୟଟନସ୍ଥଳୀ ସହ ଚଳିତ ବର୍ଷ ବୁର୍ଲାରେ ରାଜ୍ୟର ୨ୟ ପ୍ଲୋନେଟୋରିୟମ୍‌ ଓ ବିଜ୍ଞାନ ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏବେ ଓ୍ବାଟର ପାର୍କ ହେଲେ ସମ୍ବଲପୁର ଉନ୍ନତି ପଥରେ ଆଉ ଏକ ଫର୍ଦ୍ଦ ଯୋଡିହେବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri