ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,୫ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ


କୋରାପୁଟ/ଡି.ଏନ.ଏ.),୭।୧୨(ସ୍ବ.ପ୍ର.)- ଗୁରୁବାର ଭୋରରୁ କୋରାପୁଟ- ରାୟଗଡା ରେଳପଥର ଡୁମୁରିପୁଟ - ଦାମନଯୋଡି ରେଳ ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ଏହି ଟ୍ରେନର ୬ଟି ବଗି ଧାରଣାରୁ ଖସିପଡିଛି । ଫଳରେ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । ୫ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା କୋରାପୁଟ ଷ୍ଟେଶନ ମାଷ୍ଟର ବଳରାମ ମୁଦୁଲି କହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବିଶାଖାପାଟଣା ରେଳ ଡିଭିଜନର ଏକ ଯାନ୍ତ୍ରିକ ଦଳ ପହଞ୍ଚତ୍ ଯୁଦ୍ଧକାଳୀନଭିତ୍ତିରେ ରେଳଧାରଣା ମରାମତି କରିବା ସହ ଧାରଣାରୁ ଖସି ପଡିଥିବା ରେଳଡବାଗୁଡିକୁ ବାହାର କରୁଥିବା ଜଣାଯାଇଛି । କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଛତିଶଗଡର କିରଣ୍ଡୁଲରୁ ରାୟଗଡା ଯାଉଥିବା ଏକ ମାଲବାହୀ ଟ୍ରେନ କୋରାପୁଟ ଷ୍ଟେଶନଠାରୁ ୧୨ କି.ମି. ଦୂର ଡୁମୁରିପୁଟ ଷ୍ଟେଶନ ଯିବା ପରେ ମୋହନପଡା ଗ୍ରାମ ନିକଟରେ ରେଳଧାରଣାରେ କୌଣସି ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରେନର ୬ଟି ବଗି ଧାରଣାରୁ ଖସି ପଡିଥିଲା । ଏଥିଯୋଗୁ ଭୁବେନେଶ୍ୱରରୁ ଜଗଦଲପୁର ଆସୁଥିବା ହୀରାଖଣ୍ଡ ଟ୍ରେନ ରାୟଗଡାରେ ରହିଯାଇଥିବାବେଳେ ଜଗଦଲପୁରରୁ ହାଓଡା ଯାଉଥିବା ସମଲେଶ୍ୱରୀ ଟ୍ରେନ କୋରାପୁଟ ଷ୍ଟେଶନଠାରେ ଅଟକି ରହିଛି ା ଏହି ଦୁର୍ଘଟଣା ଯୋଗୁ ଜଗଦଲପୁର-ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ରାୟଗଡାଠାରୁ ଯିବାକୁ ଥିବାବେଳେ ଭୁବନେଶ୍ୱରରୁ ଜଗଦଲପୁର ଟ୍ରେନକୁ ବାତିଲ କରାଯାଇଛି । ସେହିପରି ସମଲେଶ୍ୱରୀ ଟ୍ରେନ, କିରଣ୍ଡୁଲ-ବିଶାଖାପାଟଣା, ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି । ଶୁକ୍ରବାର ସୁଦ୍ଧା ଏହି ଲାଇନରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆନ୍ଧ୍ରର କୋତାପାଲସା ଓ ଆରକୁ ମଧ୍ୟରେ ଥିବା ଏକ ବ୍ରିଜର ମରାମତି ପାଇଁ ଦୀର୍ଘ ଦିନ ହେଲା କୋରାପୁଟ - ଭାୟା ଆରକୁ ଦେଇ ବିଶାଖାପାଟଣା ଯାଉଥିବା ସମସ୍ତ ଟ୍ରେନ ରାୟଗଡା ଦେଇ ଯିବା ଆସିବା କରୁଛି। ଗୁରୁବାର ଘଟଣା ପରେ କୋରାପୁଟରୁ ଜଗଦଲପୁର ଲାଇନ ଛାଡି ଦେଲେ କୋରାପୁଟ- ରାୟଗଡା ଏବଂ କୋରାପୁଟ- ବିଶାଖାପାଟଣା ଲାଇନରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri