ବାଲ୍ୟ ବିବାହ ନିରୋଧୀ ଅଭିଯାନର ୨ ତରୁଣ ସାରଥି


ପଟ୍ଟାଙ୍ଗି,୬।୧୨(ଡି.ଏନ୍‌.ଏ.) କୋରାପୁଟ ଭଳି ଆଦିବାସୀ ବହୁଳ ଜିଲାରେ ବାଲ୍ୟ ବିବାହ ପ୍ରଥାରୁ ଲୋକେ ଏବେ ବି ମୁକୁଳି ପାରିନାହାନ୍ତି। ପ୍ରଶାସନ ଏନେଇ ସଚେତନ କରୁଥିଲେ ମଧ୍ୟ ତାହା ପ୍ରଭାବହୀନ। ପରମ୍ପରା ନାଁରେ ଚାଲିଆସିଥିବା ଏହି ଦୀର୍ଘଦିନର ପ୍ରଥାକୁ ଅନ୍ଧ ଭଳି ଜାବୁଡ଼ି ଧରିଛନ୍ତି ଲୋକେ। ବାଲ୍ୟ ବିବାହ ଦ୍ୱାରା ଭବିଷ୍ୟତ ଯେ ନିରାପଦ ନୁହେଁ, ଏହି ମର୍ମକୁ ଅତି କମ୍‌ ବୟସରେ ବୁଝିନେଇଥିଲେ ରାଇମତି ଓ ଆନନ୍ଦ। କୋରାପୁଟ ଜିଲାର ଭିନ୍ନ ଭିନ୍ନ ଗାଁର ବାସିନ୍ଦା ଥିବା ଏହି ଦୁଇଜଣ ଆଦିବାସୀ ତରୁଣୀ ତରୁଣ ନାବାଳକ ବୟସରେ ଘରଲୋକଙ୍କ ଦ୍ୱାରା ଅଣାଯାଇଥିବା ବିବାହ ପ୍ରସ୍ତାବକୁ କେବଳ ପ୍ରତ୍ୟାଖ୍ୟାନ କରିନଥିଲେ, ବରଂ ନିଜ ଅଞ୍ଚଳରୁ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସଚେତନତା ଅଭିଯାନରେ ସାମିଲ ମଧ୍ୟ ହୋଇଥିଲେ। ପାଠପଢ଼ା ସହ ନିଜ ଗାଁରେ ଶିଶୁସଂଘ ଗଢ଼ି ଏ ଦୁଇଜଣ ଏବେ ବାଲ୍ୟ ବିବାହ ନିରୋଧୀ ଅଭିଯାନର ଦୁଇ ତରୁଣ ସାରଥି ସାଜିଛନ୍ତି। ରାଇମତି ସାଉନ୍ତା। କୋରାପୁଟ ଜିଲା କୁନ୍ଦୁରା ବ୍ଲକ କେରମଟି ପଞ୍ଚାୟତ ଗମକାପଦର ଗ୍ରାମର ବାସିନ୍ଦା। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପା ତାଙ୍କ ବାହାଘର ପ୍ରସ୍ତାବ ଆଣିଥିଲେ। ତାଙ୍କ ବାପା ଜଣେ ଚାଷୀ। ପ୍ରସ୍ତାବ ପଡ଼ିଥିବା ପରିବାର ମଧ୍ୟ ଚାଷୀ ଥିଲେ। ରାଇମତି କହନ୍ତି, ‘ବାପା ମା’ ମୋତେ ବିବାହ ଦେବା ପାଇଁ ବେଶ୍‌ ବ୍ୟାକୁଳ ଥିଲେ। ହୋଇପାରେ ସେଇଟା ତାଙ୍କ ଖୁସି। କିନ୍ତୁ ଏହାର କୁପରିଣତି ଦିଗରେ ସେମାନେ ସଚେତନ ନଥିଲେ। ଅତି କମ୍‌ ବୟସରେ ବିବାହ ମୋ’ ଜୀବନରେ ଅନ୍ଧକାର ଭରିଦେବା ଆଶଙ୍କା ଥିଲା। ସେମାନଙ୍କୁ ବୁଝାଇବା ପାଇଁ ମୁଁ ବହୁତ ଚେଷ୍ଟା କଲି। ଏମିତିକି ମୋ’ ବଡ଼ଭାଇଙ୍କୁ ମଧ୍ୟ ଅନୁରୋଧ କରିଥିଲି ବାହାଘର ବନ୍ଦ କରିବା ପାଇଁ। ଭାଇଙ୍କ ଇଚ୍ଛା ଥିଲା ମୁଁ ଆଗକୁ ପାଠ ପଢ଼ିବି। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଆମ ଗ୍ରାମରେ କାମ କରୁଥିବା ସ୍ବେଚ୍ଛାସେବୀ ସାଥୀ ଏବଂ ବିଦ୍ୟାଳୟ ଦ୍ୱାରା ହେଉଥିବା ବୈଠକ/ସଭାରେ ଯୋଗଦେଇ ଶିଶୁ ଅଧିକାର ଓ ବାଲ୍ୟ ବିବାହ ସମ୍ପର୍କରେ ବେଶ୍‌ ଧାରଣା ହୋଇସାରିଥିଲା। ତେଣୁ ଏନେଇ ବାପାମା’ଙ୍କୁ ବୁଝାଇ ପାରିଥିଲି। ମୁଁ ବାହାଘରକୁ ବିରୋଧ କରୁନି, କିନ୍ତୁ ବାଲ୍ୟ ବିବାହକୁ ବିରୋଧ କରୁଛି। ମୋର ଯେଉଁଠୁ ପ୍ରସ୍ତାବ ଆସିଥିଲା, ମୁଁ ତାଙ୍କ ପରିବାରକୁ କହିଥିଲି ମୋର ପାଠ ପଢ଼ିବା ସରିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରନ୍ତୁ। କିନ୍ତୁ ସେମାନେ ସେ ପୁଅକୁ ଅନ୍ୟ ଜାଗାରେ ବିଭା କରିଦେଲେ। ମୁଁ ଆଜି ବହୁତ ଖୁସି। ମୋତେ ୧୭ ବର୍ଷ ହେଲାଣି ଆଉ ମୁଁ ଯୁକ୍ତଦୁଇରେ ପାଠ ପଢୁଛି। ସାଙ୍ଗମାନଙ୍କୁ ନେଇ ୪ ଖଣ୍ଡ ଗ୍ରାମରେ ଆମେ ଶିଶୁସଂଘ ଗଢ଼ିଛୁ। ପ୍ରତ୍ୟେକ ମାସ ବୈଠକରେ ମୁଁ ଆଉ ମୋର ସାଙ୍ଗମାନେ ଶିଶୁ ଅଧିକାର ଓ ବାଲ୍ୟ ବିବହାର କୁପରିଣତି ସମ୍ପର୍କାରେ ଆଲୋଚନା କରୁଛୁ। ଯଦି କେଉଁଠୁ ବାଲ୍ୟ ବିବାହ ଖବର ଆସୁଛି, ତେବେ ଭୟ ନକରି ୧୦୯୮କୁ ଫୋନ୍‌ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଉଛୁ। ମୋର ଆଶା ସମସ୍ତଙ୍କ ସହଯୋଗରେ ଆମେ ବାଲ୍ୟ ବିବାହକୁ ବନ୍ଦ କରିପାରିବୁ।’ ଆନନ୍ଦ ପାଙ୍ଗି। ପଟ୍ଟାଙ୍ଗି ବ୍ଲକ ଧୁରିଆ ଗାଁରେ ଘର। ୨ ବର୍ଷ ତଳେ ମାମୁଘରୁ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥିଲା। ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ଓ ସେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ। କଲେଜ ଓ ବିଭିନ୍ନ ପତ୍ରପତ୍ରିକାରୁ ବାଲ୍ୟ ବିବାହର କୁପରିଣତି ବିଷୟରେ ସଚେତନ ଥିବା ଆନନ୍ଦ ନାବାଳକ ବୟସରେ ବିବାହ ନ କରିବା ପାଇଁ ବାପାମା’ଙ୍କୁ ବୁଝାଇଥିଲେ। ସେମାନେ ରାଜି ନ ହେବାରୁ ନିଜ ଅଞ୍ଚଳରେ କାମ କରୁଥିବା ଆଦିବାସୀ ଏକତା ମଞ୍ଚର ସହଯୋଗ ଲୋଡ଼ିଥିଲେ। ଆଖପାଖରେ ଯେଉଁମାନେ ବାଲ୍ୟ ବିବାହ କରିଥିଲେ, ସେମାନେ ଏବେ କିଭଳି ଅସୁବିଧା ଭୋଗୁଛନ୍ତି, କାହାର ଦୁର୍ବଳ ପିଲା ଜନ୍ମ ହୋଇଛି ତ କାହାର ପିଲା ମରିଯାଇଛି। ଯେଉଁମାନେ କମ୍‌ ବୟସରେ ବାହା ହୋଇଛନ୍ତି, ସେମାନେ କିଭଳି ଶାରୀରିକ ଭାବେ ଦୁର୍ବଳ ହୋଇଯାଇଛନ୍ତି, ଏହିଭଳି ଉଦାହରଣ ଦେଇ ସେ ବାପାମା’ଙ୍କୁ ବୁଝାଇଥିଲେ। ସୁଖର କଥା, ସେମାନେ ଆନନ୍ଦଙ୍କୁ ବୁଝିପାରି ବିବାହ ରୋକିଥିଲେ। ଏବେ ତାଙ୍କୁ ୧୮ ବର୍ଷ ଆଉ ସେ ଯୁକ୍ତତିନିରେ ପାଠ ପଢୁଛନ୍ତି। ଏହା ସହ ସେ ଗାଁ ଯୁବକ ସଂଘ ଓ ଶିଶୁସଂଘ ଜରିଆରେ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ସଚେତନ କରୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri