ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଭାଜପା କର୍ମୀ


ମାଥିଲି , ୬।୧୨ (ଡି.ଏନ.ଏ.) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳର ୧୮ଦଫା ଦାବି ପୂରଣ ନେଇ ଭାଜପାର ଚାଲିଥିବା ଅନଶନ ବୁଧବାର ପ୍ରତ୍ୟାହାର ହୋଇଛି । ମାଲକାନଗିରି ଅତିରିକ୍ତ ଜିଲାପାଳ ଡ.ରଘୁମଣୀ ଗମାଙ୍ଗଙ୍କ ପ୍ରତିଶ୍ରୁତି ପାଇବା ପରେ ଭାଜପା କର୍ମକର୍ତ୍ତା ଆନ୍ଦୋଳନରୁ ଓହରିଛନ୍ତି । ମଙ୍ଗଳବାର ସନ୍ଧ୍ୟାଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ନବରଙ୍ଗପୁର ପୂର୍ବତନ ଏମପି ପର୍ଶୁରାମ ମାଝି, ଜିଲା ପ୍ରଭାରୀ ରମେଶ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁନାଲ ମିଶ୍ର, ବନମାଳି ବରଜା, ମଣ୍ତଳ ସଭାପତି ମହେଶ ବାକା, ବସନ୍ତ ମାଢିଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାଥିଲି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ମାଲକାନଗିରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଅତିରିକ୍ତ ଜିଲାପାଳ ଡ.ଗମାଙ୍ଗ ଭାଜପା କର୍ମୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ । ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ମାଥିଲି ବିଡିଓ ଅଗସ୍ତି ପ୍ରଧାନ, ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ, ମାଥିଲି ଥାନା ଆଇଆଇସି ବାମଦେବ ନନ୍ଦଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ଡ.ଗମାଙ୍ଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଅଘୋଷିତ ବିଦ୍ୟୁତ କାଟ୍‌ ବନ୍ଦ କରିବା, ମାଥିଲିର ଆଖପାଖ ଗ୍ରାମକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା, ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା, ପାଙ୍ଗାମସ୍ଥିତ ହାତୀରାମ ଗୁରୁ ବିଦ୍ୟାପୀଠରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ଯୁକ୍ତ ୨ ମହାବିଦ୍ୟାଳୟ ଖୋଲିବା ଭଳି ୧୮ ଦଫା ଦାବି ଉପସ୍ଥାପନା କରାଯାଇଥିଲା। ଜିଲାପାଳଙ୍କ ଅଧିନରେ ଥିବା ସମସ୍ତ ଦାବିକୁ ପୂରଣ କରିବାକୁ ଅତିରିକ୍ତ ଜିଲାପାଳ ଡ.ଗମାଙ୍ଗ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri