ବନ୍ଧୁକ ହାତରେ ବହି ଧରାଇଲେ କୋୟା ଯୁବକ ଦେବା


ମାଲକାନଗିରି,୨।୧୨(ଡି.ଏନ୍‌.ଏ.)-ବନ୍ଧୁକ ଛାଡ଼ି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୧୮ ଜଣ ମାଓବାଦୀଙ୍କ ହାତରେ ସପ୍ତାହକ ତଳେ ବହି ଧରାଇଥିଲା ପୋଲିସ। ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ଥଇଥାନ କ୍ରମରେ ସେମାନଙ୍କୁ ଶିକ୍ଷିତ କରି ନିଯୁକ୍ତିଯୋଗ୍ୟ କରିବା ପାଇଁ ମାଲକାନଗିରି ଜିଲା ପୋଲିସ ଏଭଳି ପ୍ରୟାସ ଆରମ୍ଭ କରିଥିଲା। ସୁଖର କଥା ଯେ ଅତି ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୁଲିକାମ କରୁଥିବା ଆଦିବାସୀ ଯୁବକ ଦେବା ସୋଡ଼ି ଏମାନଙ୍କୁ ଶନିବାର ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ଦେବାଙ୍କ ବିଷୟରେ ଜାଣିବା ପରେ ଏସ୍‌ପି ଜଗମୋହନ ମୀନା ତାଙ୍କୁ ଏହି ସୁଯୋଗ ଦେଇ ନୈରାଶ୍ୟ ଓ ସଂଘର୍ଷପୂର୍ଣ୍ଣ ଜୀବନରେ ଆଶା ସଞ୍ଚାର କରିଛନ୍ତି। ଏବେ ଦେବାଙ୍କ ଆଖିରେ ନିଜ ଭବିଷ୍ୟତକୁ ନେଇ ନୂଆ ସ୍ବପ୍ନ ଉଙ୍କି ମାରିବା ଆରମ୍ଭ କରିଛି। ନିଜ ଦାୟିତ୍ୱ ନେଇ ସେ ବେଶ୍‌ ଉତ୍ସାହିତ।କାଲିମେଳା ବ୍ଲକ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ମୁଦାଖାଲ ଗ୍ରାମର କାନା ସୋଢ଼ିଙ୍କ ଏକମାତ୍ର ପୁଅ ଦେବା। ଗାଁଠାରୁ ୩ କିମି ଦୂର ଚିତ୍ରାଙ୍ଗପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ ପଡ଼ିଆ ଉଚ୍ଚବିଦ୍ୟାଳୟରୁ ସେ ମାଟ୍ରିକ ପଢ଼ା ଶେଷ କରିଥିଲେ। ବାପା ମଜୁରି ଲାଗିବା ସହ କିଛି ଜମି ବିକି ପୁଅକୁ କାଲିମେଳା କଲେଜରେ ଭର୍ତ୍ତି କରିଥିଲେ। ଦେବା ସେଠାରୁ ଯୁକ୍ତ ୨ ଓ ବାଲିମେଳା ବିଜ୍ଞାନ ମହାବିଦ୍ୟାଳୟରୁ ଯୁକ୍ତ ୩ ପାସ୍‌ କରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍‌ଫିଲ୍‌ ଶେଷ କରିଥିଲେ। ଭଲ ଚାକିରି କରି ସମାଜରେ ପ୍ରତିଷ୍ଠିତ ହେବାର ସ୍ବପ୍ନ ଦେଖିଥିଲେ ଦେବା। କିନ୍ତୁ ଦୁର୍ଭାଗ୍ୟ ଦୁଇଟି ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ ଚାକିରିଟିଏ ମିଳି ନଥିଲା। ଏପରିକି ପେଟ ପୋଷିବା କଷ୍ଟକର ହୋଇପଡ଼ିଥିଲା। ବାଧ୍ୟହୋଇ ସେ ପରିବାର ଚଳାଇବା ପାଇଁ ପରଘରେ ମୁଲ ଲାଗୁଥିଲେ। କୋୟା ସମ୍ପ୍ରଦାୟର ଯୁବକ ଦେବା ୨୦୧୬ରେ ଅଧ୍ୟାପକ ପଦବୀ ଲାଗି ଆବେଦନ କରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ସାକ୍ଷାତକାର ପର୍ଯ୍ୟାୟରେ କଟିଯାଇଥିଲେ। ସେହିପରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମଧ୍ୟ ସାକ୍ଷାତକାର ପର୍ଯ୍ୟାୟରେ ସେ ଅସଫଳ ହେଲେ। ଏହାପରେ କନିଷ୍ଠ କିରାଣି ପଦବୀ ଓ ଗୋବିନ୍ଦପାଲ୍ଲୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକ ପଦ ପାଇଁ ସାକ୍ଷାତକାର ଦେଇ ମଧ୍ୟ ତାଙ୍କୁ ବିଫଳତା ମିଳିଲା। ଏଥିରେ ନିରାଶ ଦେବା ଚାକିରି ଆଶା ଛାଡ଼ି କୁଲିକାମ କରିବାକୁ ଏକପ୍ରକାର ବାଧ୍ୟ ହୋଇଗଲେ। କିନ୍ତୁ ସୁଖର କଥା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ତାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ନୂଆ ଦାୟିତ୍ୱ ଦେଇଛନ୍ତି। ସେହି କ୍ରମରେ ଶନିବାର ଏସ୍‌ପିଙ୍କ ମାଲକାନଗିରି ସ୍ଥିତ କାର୍ଯ୍ୟାଳୟରେ ଆମତ୍ସମର୍ପଣକାରୀ ମାଓବାଦୀଙ୍କ ସମେତ ଅନ୍ୟ କେତେକ ସାଧାରଣ ଯୁବତୀ ଯୁବକ ଓ ପୋଲିସ କର୍ମଚାରୀଙ୍କୁ ଦେବା ଇଗ୍ନୋ ତରଫରୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ସେ ନିଜ ଉଚ୍ଚଶିକ୍ଷା ଓ ସଂଘର୍ଷମୟ ଜୀବନର ଅନୁଭୂତି ବଖାଣିବା ପରେ ନୂତନ ଦାୟିତ୍ୱ ପାଇଁ ଏସ୍‌ପିଙ୍କୁ କୃତଜ୍ଞତା ଜଣାଇଥିଲେ। ଦେବା ନିଜ ଜିଲାର ଯୁବତୀ ଯୁବକଙ୍କୁ ପାଠ ପଢ଼ାଉଥିବା ଜାଣି ଗର୍ବ ଅନୁଭବ କରୁଥିବା ତାଙ୍କ ପିତା କାନା ସୋଡ଼ି କହିଛନ୍ତି। ଇଗ୍ନୋ ପକ୍ଷରୁ ସେ ରାଜନୀତି ବିଜ୍ଞାନ ପଢ଼ାଇବେ ଏବଂ ଏଥିପାଇଁ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯିବ ବୋଲି ଏସ୍‌ପି ମୀନା କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri