ମଣ୍ଡିରେ କଟୁଛି ଧାନ, ଦଲାଲଙ୍କ ପ୍ରଲୋଭନରେ ଅସନ୍ତୁଷ୍ଟ ଚାଷୀ


ପାଣ୍ଡ୍ରିପାଣି,୨।୧୨-ଚାଷୀଙ୍କ ଧାନ କିଣିନେବା ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ସରକାର ମଣ୍ଡିର ଶୁଭାରମ୍ଭ କରିସାରିଛନ୍ତି। ଏହା ସତ୍ତ୍ୱେ ମାଲକାନଗିରି ସଦର ବ୍ଲକ ଅର୍ନ୍ତଗତ ପାଣ୍ଡ୍ରିପାଣି, ମାର୍କାପାଲି, ଗଗଂଲା, ପେଡାକୋଣ୍ଡା, ସେରପାଲ୍ଲୀ, ପେଦାୱାଡା ଓ ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅସାଧୁ ବ୍ୟବସାୟୀମାନେ ବୁଲିବୁଲି ଚାଷୀଙ୍କଠାରୁ ବହୁତ କମ ମୂଲ୍ୟରେ ଧାନ କିଣୁଥିବା ଦେଖିବାକୁ ମିଳୁଛି। ଧାନକିଣା ଉପରେ କଟକଣା ଥିବାରୁ ବ୍ୟବସାୟୀମାନେ ଉପସ୍ଥିତ ମୁଣ୍ଡ ଖଟାଇ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚାଲିଛନ୍ତି। ସେମାନଙ୍କଠାରୁ ଧାନ କିଣି ପିକ୍‌ଅପ୍‌ ଭ୍ୟାନ୍‌ କିମ୍ବା ଅଧିକ ଧାନ ଥିଲେ ବିଳମ୍ବିତ ରାତିରେ ବାର ଚଉଦ ଚକିଆ ଟ୍ରକରେ ସ୍ଥାନାନ୍ତର କରୁଥିବା ଜଣାପଡ଼ିଛି। ଚାଷୀଙ୍କ ସହ କଥାବାର୍ତ୍ତା ବେଳେ ଜଣାପଡ଼ିଥିଲା ଯେ ମଣ୍ଡିରେ ଧାନ ଦେଲେ କ୍ୱିଣ୍ଟାଲ ପିଛା ଚାରିରୁ ଆଠ କିଲୋଗ୍ରାମ ଓଜନର ଧାନ କଟାଯାଉଛି। ମିଲର ଧାନ ଉଠାଇବା ପର୍ଯ୍ୟନ୍ତ ମଣ୍ଡିରେ ଶୀତ କାକର ଓ ଭୋକ ଉପାସରେ ଶୋଇବାକୁ ପଡ଼ିବ। ଅଥଚ କଷ୍ଟଅର୍ଜିତ ଧାନର ସଠିକ୍‌ ମୂଲ୍ୟ ଠିକ୍‌ ସମୟରେ ଚାଷୀ ପାଇବେ ନାହିଁ। ତେଣୁ ସେମାନଙ୍କ ଭିତରେ ମଣ୍ଡି ପ୍ରତି ଅସନ୍ତୋଷ ବଢୁଛି। ଯାହାର ଫାଇଦା ଦେଇ ଜିଲା ଓ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ। କିଏ ଆସି ଧାନ ନେଉଛନ୍ତି ବୋଲି ପଚାରିବାରୁ ଗରିବ ଚାଷୀ କହିଛନ୍ତି ଆମେ ଯଦି କାହାର ନାମ କହିବୁ, ତାହା ହେଲେ ଆମର ପାଇବାକୁ ଥିବା ଟଙ୍କା ମିିଳିବ ନାହିଁ। ଜିଲାର ମଣ୍ଡି ଆରମ୍ଭ ପୂର୍ବରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିଲେ ଯେ ଚାଷୀଙ୍କ ଧାନ ଠିକ୍‌ ମୂଲ୍ୟରେ କିଣାଯିବା ସହ ଦଲାଲ ଓ ଅସାଧୁ ବ୍ୟବସାୟୀଙ୍କ କବଳରୁ ସେମାନଙ୍କୁ ସୁରକ୍ଷା ଦିଆଯିବ। କିନ୍ତୁ ଜିଲାପାଳଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରି ସ୍ଥାନୀୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri