ଶିକ୍ଷାଦାନ ନଁ।ରେ ଚାଲିଛି ଝିଅ ଚାଲାଣ: ଭାଜପା


ରାୟଗଡା ଅଫିସ୍‌, ୨।୧୨-ରାୟଗଡା ଜିଲାରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଗରିବ ତଥା ଅସହାୟ ପିଲାଙ୍କୁ ପାଠ ପଢାଉଛନ୍ତି। ତେବେ କେତେକ କ୍ଷେତ୍ରରେ ଏଭଳି ଶିକ୍ଷାଦାନ ନାଁରେ ଝିଅମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ଜିଲା ଭାଜପା ଅଭିଯୋଗ ଆଣିଛି। ଏହି ପରିପ୍ରେକ୍ଷୀରେ ବିଷମକଟକ ଥାନା ଅଧୀନ ରାସକୋଲା ଗ୍ରାମର ଭୂମିକା (୧୨)ଙ୍କୁ ତୁରନ୍ତ ପାଳିତା ମା’ ପାର୍ବତୀଙ୍କୁ ହସ୍ତାନ୍ତର କରାଯିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଶନିବାର ରାୟଗଡା ସଦରସ୍ଥ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଶିବଶଙ୍କର ଉଲାକା କହିଛନ୍ତି ଯେ, ଜନ୍ମ ପରେ ନିଜ ମା’ ଏବଂ ବାପାଙ୍କୁ ହରାଇଥିବା ଭୂମିକାଙ୍କୁ ସେହି ଅଞ୍ଚଳର ପାର୍ବତୀ ମହାନନ୍ଦିଆ ଗ୍ରାମବାସୀଙ୍କ ସହମତିରେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ପରେ ଥେରୁବାଲିସ୍ଥିତ ଏକ ସ୍ବେଚ୍ଛସେବୀ ସଂସ୍ଥା କର୍ତ୍ତୃପକ୍ଷଙ୍କ କଥାରେ ପାର୍ବତୀ ପ୍ରଭାବିତ ହୋଇ ଝିଅକୁ ଆଶ୍ରମରେ ରହି ପାଠ ପଢ଼ିବାକୁ ଛାଡିଥିଲେ ା ପରବର୍ତ୍ତୀ ସମୟରେ ଭୂମିକାଙ୍କୁ ଅମ୍ଲାଭଟ୍ଟାର ଏକ ସେବାଶ୍ରମରେ ରଖାଯାଇଥିଲା। ମାତ୍ର କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା। ଗତ ୪/୫ମାସ ହେବ ତାଙ୍କୁ ଗୁଣପୁରର ଏକ ସଂସ୍ଥାକୁ ପଠାଯାଇଥିଲା। କିନ୍ତୁ ଏବେ ସେ ସେଠାରେ ନାହାନ୍ତି। ଭୂମିକାଙ୍କୁ ଫେରାଇଦେବାକୁ ଭାଇ ଅମିନାଥ କୁଣ୍ଡିକା ଓ ମା’ ପାର୍ବତୀ କହିବାରୁ ସମ୍ପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କୁ ଗାଳିଗୁଲଜ କରିବା ସହ ଭୂମିକା ବେଲଜିୟମ୍‌ ଯିବ ବୋଲି କହିଥିଲେ। ଟଙ୍କା ଦେଲେ ଝିଅକୁ ନେବ ଏବଂ ଏବେ ସେ କୋରାପୁଟରେ ଅଛି ଇତ୍ୟାଦି ମିଥ୍ୟା ତଥ୍ୟ ଦେଇଥିଲେ। ଏ ନେଇ ଜିଲାପାଳ ଏବଂ ବିଷମକଟକ ଥାନାଧିକାରୀଙ୍କ ନିକଟରେ ପାର୍ବତୀ ଓ ଅମିନାଥ ଗତ ୭ତାରିଖରେ ୨ଟି ଏତଲା ଦେଇଥିଲେ । କିନ୍ତୁ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ଘଟଣାରୁ ସିଡବ୍ଲ୍ୟୁସି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବ ଚାଲାଣରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଉଛି ବୋଲି ଉଲାକା ଅଭିଯୋଗ କରିଛନ୍ତି। ଯଦି ଆସନ୍ତା ୭ଦିନ ମଧ୍ୟରେ ଭୂମିକାଙ୍କୁ ଫେରାଇ ନ ଦିଆଯାଏ ତା’ହେଲେ ଭାଜପା ପକ୍ଷରୁ ଜିଲାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପାର୍ବତୀ ଓ ଅମିନାଥଙ୍କ ସମେତ ରାସକୋଲା ସରପଞ୍ଚ ଭରତ ହିକାବାଡି, ଭାଜପାର ଜିଲା ସାଧାରଣ ସମ୍ପାଦକ ହଳଧର ମିଶ୍ର, ରାୟଗଡା ନଗର ସଭାପତି ଭାସ୍କର ପଣ୍ଡା, ମୁନିଗୁଡା ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ଜିଲା ଉପସଭାପତି ବାବୁ ରାଓ, ନଗର ସମ୍ପାଦକ ରମାକାନ୍ତ ଆଚାରୀ, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଞ୍ଜନା ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri