ଉଚ୍ଚଶିକ୍ଷିତ ହୋଇ ବି ମୂଲ ଲାଗୁଛନ୍ତି ଦେବା:ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପଢାଇବେ ପାଠ


ମାଲକାନଗିରି, ୧।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କାଲିମେଳା ବ୍ଲକ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଦାଖାଲ ଗ୍ରାମର ଆଦିବାସୀ ଯୁବକ ଦେବା ସୋଢ଼ି। ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ ଏମ୍‌ଫିଲ। ଆଶା ବାନ୍ଧିଥିଲେ ବହୁତ ପାଠପଢି ମା’ବାପାଙ୍କ ସ୍ବପ୍ନ ସାକାର କରିବେ। କିନ୍ତୁ ସ୍ବପ୍ନ ସାକାର ତ ଦୂରର କଥା, ନିଜ ପେଟ ପୋଷିବା କଷ୍ଟକର ହୋଇପଡିଛି। ଉଚ୍ଚଶିକ୍ଷିତ ହୋଇ ବି ଆଜିପର୍ଯ୍ୟନ୍ତ ଚାକିରିଟିଏ ପାଇପାରିନାହାନ୍ତି। ତେଣୁ ପରିବାର ପ୍ରତିପୋଷଣ ନିମନ୍ତେ ସେ ବାଧ୍ୟହୋଇ ପରଘରେ ମୂଲମଜୁରି ଲାଗୁଛନ୍ତି। ତେବେ ଦେବାଙ୍କ ସମ୍ପର୍କରେ ଏସ୍‌ପି ଜଗମୋହନ ମୀନା କୌଣସି ସୂତ୍ରରୁ ଖବର ପାଇବା ପରେ ତାଙ୍କୁ ମାଲକାନଗିରି ଡକାଇଛନ୍ତି। ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ସମେତ କିଛି ସାଧାରଣ ଲୋକଙ୍କୁ ପାଠ ପଢାଇବାର ଦାୟିତ୍ୱ ତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଇଗ୍‌ନୋ ଅଧୀନରେ ସେ ପ୍ରାୟ ୧୮୨ଜଣଙ୍କୁ ପାଠ ପଢାଇବେ। ଏମାନଙ୍କ ମଧ୍ୟରେ କେତେଜଣ ପୋଲିସ କର୍ମଚାରୀ ରହିଛନ୍ତି ଯେଉଁମାନଙ୍କ ପଦୋନ୍ନତି ଲାଗି ଅଧିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହେଉଛି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଶନିବାର ଶିକ୍ଷାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। ଏଥିଯୋଗୁ ଦେବା ଉଲ୍ଲସିତ ହୋଇପଡିଛନ୍ତି। ତାଙ୍କ ଆଖିରେ ପୁଣି ନୂଆ ସ୍ବପ୍ନ ପାଖୁଡା ମେଲିଛି। ମୁଦାଖାଲ ଗ୍ରାମର କାନା ସୋଢ଼ିଙ୍କ ଏକମାତ୍ର ପୁଅ ଦେବା। ଗାଁଠାରୁ ୩ କି.ମି. ଦୂର ଚିତ୍ରାଙ୍ଗପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପଡ଼ିଆ ଏସ.ସି,ଏସ.ଟି ଉଚ୍ଚ ବିଦ୍ୟାଳୟରେ ପଢି ମାଟ୍ରିକ ପାସ କରିଥିଲେ। ପରେ ବାପା ମୂଲମଜୁରି ଲାଗି ଓ କିଛି ଜମି ବିକି ଦେବାଙ୍କୁ କାଲିମେଳା କଲେଜରେ ପଢାଇଲେ। ଦେବା ସେଠାରେ ଯୁକ୍ତ୨ ଓ ବାଲିମେଳା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ୩ ପଢିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ.ଫିଲ୍‌ ଇନ୍‌ ପଲିଟିକାଲ ସାଇନ୍ସରେ ପାସ୍‌ କଲେ। ମାତ୍ର ଦୁର୍ଭାଗ୍ୟ ଯେ, ଏହି ଆଦିବାସୀ କୋୟା ସମ୍ପ୍ରଦାୟର ଯୁବକ ୨୦୧୬ରେ ସରକାରୀ ଅଧ୍ୟାପକ ପାଇଁ ଆବେଦନ କରି ରିଟିନ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ଭାୟାବସରେ କଟିଯାଇଥିଲେ। ସେହିପରି ଓଏଏସରେ ଆବେଦନକରି ଲିଖିତ ପରୀକ୍ଷାରେ ପାସ ହୋଇଥିବା ବେଳେ ଭାୟାବସରେ ଅସଫଳ ହେଲେ। କନିଷ୍ଠ କିରାଣି ଓ ଗୋବିନ୍ଦପାଲ୍ଲୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକ ପଦ ପାଇଁ ଇଣ୍ଟରଭ୍ୟୁ ଦେଇ ଭାୟାବସରେ ଅସଫଳ ହେଲେ। ଫଳରେ ନିରାଶ ହୋଇ ଚାକିରି ଆଶା ଛାଡ଼ି କୁଲିକାମ କରିବାକୁ ଆଗେଇ ଆସିଲେ। ଜଣେ ଆଦିବାସୀ ଯୁବକଙ୍କ ଯୋଗ୍ୟତାକୁ ଅଣଦେଖା କରାଯାଉଥିବା ସେ କହିବା ସହ କର୍ମ ଓ ଭଗବାନଙ୍କ ଉପରେ ଆସ୍ଥା ରଖି ଆଗକୁ ଚାଲିବେ ବୋଲି ପ୍ରକାଶ କରିଛନ୍ତି। ନୂତନ ଦାୟିତ୍ୱ ପାଇଁ ସେ ଏସ୍‌ପି ମୀନାଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri