୬ଶହ ହିତାଧିକାରୀଙ୍କ ଚାଉଳ ହଡପ ଘଟଣା ତଦନ୍ତ କଲେ ଏସସିଏସଓ


ନନ୍ଦପୁର,୩୦।୧୧(ଡି.ଏନ.ଏ.):-କୋରାପୁଟ ଜିଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତରେ ୨ମାସର ଖାଉଟି ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗର ବୁଧବାର ତଦନ୍ତ ହୋଇଛି। କୋରାପୁଟ ଏସସିଏସଓ ଗଣେଶ୍ୱର ଚୌଧୁରୀ ଏବଂ ନନ୍ଦପୁର ଯୋଗାଣ ନିରୀକ୍ଷକ ହରିଶ ମୁଦୁଲି ଏହାର ତଦନ୍ତ କରି ଫେରିଛନ୍ତି। ଗତ ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ପଇଓ କମଳ ଲୋଚନ ପରଜା ଉଠାଇଥିଲେ ମଧ୍ୟ ୬ଶହ ହିତାଧିକାରୀଙ୍କୁ ଚାଉଳ ଦେଇନାହାନ୍ତି। ପଞ୍ଚାୟତର ୧୯୫୬ ରାଶନ କାର୍ଡ ମଧ୍ୟରୁ କୁଲାରସିଂ, ଗେମେଲପୁଟ, ଦୋରାପୁଟ, ଦଳେଇପୁଟ, ଦୋଜିପୁଟ, ଆବରଡ, ମାରିପାଲାମ, କୈଲଙ୍ଗପୁଟ, ପଡେଇ, ବଡେଲା, ତାରଗାମପୁଟ, ଆବରଡା, ମାରିପାଲାମ, ପୁଡାଲପୁଟ ଏବଂ କୁମାରପୁଟ ଗ୍ରାମର ପ୍ରାୟ ୬୦୦ ହିତାଧିକାରୀ ଗତ ୨ ମାସର ଚାଉଳ ପାଇନାହାନ୍ତି। ଏସମ୍ପର୍କରେ ବିଡିଓ ରାମେଶ୍ୱର ପ୍ରଧାନଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିଲା। ତଦନ୍ତ ବେଳେ ପଞ୍ଚାୟତ ଗୋଦାମରେ ୪୧ କୁଇଣ୍ଟାଲ ଚାଉଳ ଓ ୨୫ କୁଇଣ୍ଟାଲ ଗହମ ଥିବା ଜଣାପଡିଥିଲା। ପରେ ପାଡୁଆ ପୋଲିସ ଏହି ଗୋଦାମକୁ ସିଲ୍‌ କରିଛି। ଅନ୍ୟପକ୍ଷରେ ଏହି ପଞ୍ଚାୟତରେ ଗତ ୧ବର୍ଷ ଧରି ଏପରି ପ୍ରତିମାସରେ ଚାଉଳ ହେରଫେର କରାଯାଉଛି। ବ୍ଳକ ଯୋଗାଣ ନିରୀକ୍ଷକ ମଲ୍ଲିକ କିପରି ଜାଣିପାରୁନାହାନ୍ତି ବୋଲି ସମିତିସଭ୍ୟ ଅନ୍ତର୍ଯାମୀ ଗୁଣ୍ଠା, କାମେଶ କାମୁଡି, ମୁକୁନ୍ଦ ଗାଗାଡ, ପୂର୍ଣ୍ଣ ଆର୍ଲାବ, ଓ୍ବାର୍ଡସଭ୍ୟ ଗୁପ୍ତ ଖିଲ ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ତଦନ୍ତ ପରେ ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆମେ ହିତାଧିକାରୀଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ପିଇଓ ବ୍ଳକରେ ଅନୁପସ୍ଥିତ ଥିବା ବେଳେ ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ମଲ୍ଲିକ କହିଛନ୍ତି ଯେ, ଘଟଣାର ତଦନ୍ତ ସରିଛି। ରିପୋର୍ଟ ଯାହା ବିରୋଧରେ ବାହାରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri