ବିଚ୍ଛିନ୍ନାଞ୍ଚଳରେ ପୋଲିସ ପାଇଁ ଚ୍ୟାଲେଞ୍ଜ ଲାଲବାହିନୀର ଲାଲକୋଠି


ମାଲକାନଗିରି,୩୦।୧୧(ଡି.ଏନ୍‌.ଏ./ସ୍ବ.ପ୍ର.)-ଲାଲ ରଙ୍ଗରେ ଚିତ୍ରିତ ହୋଇଛି ଗୋଟିଏ ଘର। ଚାରିପାଖରେ ତାରବାଡ଼। ଏହା ହେଉଛି ବିଏସ୍‌ଏଫ୍‌ ଭଳି ମାଓବାଦୀଙ୍କ ସମାନ୍ତରାଳ କ୍ୟାମ୍ପ। ପୋଲିସ ଓ ଅନ୍ୟ ନିରାପତ୍ତା ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳର କତାଗୁଡ଼ାରେ ମାଓବାଦୀମାନେ ପ୍ରଥମଥର ପାଇଁ ଏକ ସ୍ଥାୟୀ କ୍ୟାମ୍ପ ସ୍ଥାପନ କରିଛନ୍ତି। ୨ ତାରିଖରୁ ୧୮ତମ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହେଉଥିବା ବେଳେ ଏହାର ପ୍ରଥମ ଦିବସରେ ଲାଲବାହିନୀ ଏହି କ୍ୟାମ୍ପର ଶୁଭାରମ୍ଭ କରିବ ବୋଲି ଅନୁମାନ କରାଯାଉଛି। ସଙ୍ଗଠନରେ ଯୁବତୀ ଯୁବକମାନେ ସାମିଲ ହେବା ପାଇଁ ଆହ୍ବାନ ଦେଇ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମାରିଛନ୍ତି। ଗତ ବର୍ଷ ଅକ୍ଟୋବର ୨୪ରେ ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡ଼ିଶା ପୋଲିସର ମିଳିତ ଏନକାଉଣ୍ଟରରେ ୩୦ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ମାଓବାଦୀ ନିରୋଧୀ ଅଭିଯାନ କ୍ରମରେ ଏହା ସବୁଠାରୁ ବଡ଼ ଅପରେସନ ଥିଲା। ଏହାପରେ ଲାଲବାହିନୀ ସଙ୍ଗଠନ ଦୁର୍ବଳ ହେଉଛି ବୋଲି ପୋଲିସ ବିଭିନ୍ନ ସମୟରେ ଦାବି କରିଆସୁଥିଲା। ତେବେ କିଛିଦିନ ତଳେ ସେଠାରେ ସଙ୍ଗଠନ ସଜାଡ଼ିବା ପାଇଁ ମାଓବାଦୀମାନେ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ନେଇ ବିସ୍ତୃତ ଖବର ପ୍ରକାଶ କରିଥିଲା ‘ଧରିତ୍ରୀ’। ପୋଲିସ ଓ ବିଏସ୍‌ଏଫ୍‌କୁ ଚ୍ୟାଲେଞ୍ଜ କରି ମାଓବାଦୀମାନେ କତାଗୁଡ଼ାରେ ସମାନ୍ତରାଳ କ୍ୟାମ୍ପ ବସାଇବା ପରେ ସେମାନଙ୍କ ସ୍ଥିତି ଦୃଢ଼ ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି। ପୂର୍ବରୁ ମାଓବାଦୀମାନେ ଶହୀଦ ସ୍ତମ୍ଭ ଓ ଅସ୍ଥାୟୀ କ୍ୟାମ୍ପ ନିର୍ମାଣ କରୁଥିଲେ। ଗତବର୍ଷ ଚିତ୍ରକୋଣ୍ଡାର ଗୋରାସେତୁରେ ମଧ୍ୟ ସେହିଭଳି ଏକ ଅସ୍ଥାୟୀ କ୍ୟାମ୍ପ ହୋଇଥିଲା। ଏବେ କିନ୍ତୁ ସେମାନେ ସମାନ୍ତରାଳ ସ୍ଥାୟୀ କ୍ୟାମ୍ପ ବସାଇ ୨ ତାରିଖରୁ ଆରମ୍ଭ ହେଉଥିବା ପିଏଲ୍‌ଜିଏ ସପ୍ତାହର ପ୍ରଥମ ଦିବସରେ ଏହାର ଶୁଭାରମ୍ଭ କରିବେ ଓ ଏହି ଅବଧି ଭିତରେ ସେମାନେ ବହୁମାତ୍ରାରେ ଯୁବତୀ ଯୁବକଙ୍କୁ ସଙ୍ଗଠନରେ ସାମିଲ କରିବା ପାଇଁ ଯୋଜନା କରିଛନ୍ତି। ମାଓବାଦୀ ଦମନ ପାଇଁ ନିରାପତ୍ତା ବାହିନୀ ଘନ ଘନ ବୈଠକ କରୁଛି। ଗତ ଅକ୍ଟୋବର ୨୬ରେ ପୋଲିସ ଡିଜି ଆର୍‌.ପି. ଶର୍ମା ଓ ଦୁଇଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ମାଲକାନଗିରି ଆସି ସୁରକ୍ଷା ବ୍ୟବସ୍ଥା ଓ ମାଓବାଦୀ ରଣନୀତି ସମୀକ୍ଷା କରି ଫେରିଥିଲେ। ଏହା ସତ୍ତ୍ୱେ ମାଓବାଦୀଙ୍କ ସ୍ଥାୟୀ କ୍ୟାମ୍ପ ବିଚ୍ଛିନ୍ନାଞ୍ଚଳରେ ସେମାନଙ୍କ ସ୍ଥିତିକୁ ଅଭେଦ୍ୟ ଓ ନିଶ୍ଚିତ କରିଛି। ଅନ୍ୟପକ୍ଷରେ ୧୮ତମ ପିଏଲ୍‌ଜି ସପ୍ତାହ ପାଇଁ ଗୁରୁବାର ମାଲକାନଗିରିର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। କାଲିମେଳା ବ୍ଲକର ବଡିଗେଟା, ଟେକଗୁଡ଼ା, ପଡିଆ, ଚିତ୍ରକୋଣ୍ଡା, ମାଥିଲି ବ୍ଲକର ସାଲିମି ଓ ମହୁପଦର ଅଞ୍ଚଳରେ ଗୁରୁବାର ଏହି ପୋଷ୍ଟର ସବୁ ଦେଖିବାକୁ ମିଳିଥିଲା। ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି ଯେ, ମାଓବାଦୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଲାଲକୋଠିର ଫଟୋ ଦୁଇମାସ ତଳେ ଭାଇରାଲ ହୋଇଥିଲା। ପିଏଲ୍‌ଜିଏ ସପ୍ତାହ ପାଇଁ ବିଚ୍ଛିନ୍ନାଞ୍ଚଳରେ ସ୍ବତନ୍ତ୍ର ଅପରେସନ କରାଯିବ। କୋମ୍ବିଂ ଜୋରଦାର କରାଯିବା ସହ ବିଏସ୍‌ଏଫ୍‌ ଦ୍ୱାରା ଏରିଆ ଡମିନେସନ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri