ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଲେ ମହିଳାଗୋଷ୍ଠୀ


କଲ୍ୟାଣସିଂହପୁର, ୨୨।୧୧(ଡି.ଏନ୍‌.ଏ.)- ରାୟଗଡା ଜିଲା କଲ୍ୟାଣସିଂହପୁର ସୁନାଖଣ୍ଡି ପଞ୍ଚାୟତ ସୁନାଖଣ୍ଡି ଗାଁରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମହିଳାମାନେ ଉଲଗ୍ନ କରି ମାଡ ମାରିବା ଭଳି ଏକ ଅଭାବନୀୟ ଘଟଣା ବୁଧବାର ସାମ୍ନାକୁ ଆସିଛି । ଉତ୍ତ୍ୟକ୍ତ ମହିଳା ଗୋଷ୍ଠୀ ତାଙ୍କୁ କିରୋସିନ ପକାଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ ବୋଲି ମହିଳା ଜଣକ କଲ୍ୟାଣସିଂହପୁର ଥାନାରେ ଏତଲା ଦେଇଛନ୍ତି । ସୁନାଖଣ୍ଡି ଗାଁର ଉକ୍ତ ମହିଳା ଜଣକ ସୋମବାର ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଉକ୍ତ ଗାଁର କେତେକ ମହିଳା ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଏନେଇ ମଙ୍ଗଳବାର ଗାଁରେ ଏକ ବୈଠକ ଡକାଯାଇଥିଲା । ଉକ୍ତ ବୈଠକକୁ ସ୍ବାମୀ ଯାଇଥିବା ବେଳେ ମହିଳା ଜଣକ ଘରେ ଏକୁଟିଆ ଥିଲେ । ଏହି ସମୟରେ ଗାଁର ପ୍ରାୟ ୩୦ଜଣ ମହିଳା ଓ ଜଣେ ଯୁବକ ମହିଳାଙ୍କ ଘରେ ପଶି ଠେଙ୍ଗା ବାଡିରେ ତାଙ୍କୁ ଆକ୍ରମଣ କରିଥିଲେ । ପରେ ସେମାନେ ତାଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ଉଲଗ୍ନ କରି ଦେଇଥିଲେ । ମହିଳା ଜଣକ ଘରକୁ ଆସି ଆଉ ଏକ ଶାଢୀ ପିନ୍ଧିବା ବେଳେ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେବାକୁ ସେମାନେ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ମଧ୍ୟ ମହିଳା ଗୋଷ୍ଠୀଙ୍କ ରାଗ ଶାନ୍ତ ପଡି ନ ଥିଲା । ସେମାନେ ମହିଳାଙ୍କ ସ୍ବାମୀଙ୍କ ଦୋକାନର ବିଭିନ୍ନ ସାମଗ୍ରୀ ନଷ୍ଟ କରିବା ସହ, ତାଙ୍କ ବାଇକ୍‌କୁ ଭାଙ୍ଗି ଦେଇଥିଲେ। ଦୋକାନରେ ଥିବା ୧୦ ହଜାର ଟଙ୍କା ଓ ମହିଳାଙ୍କ କାନଫୁଲ, ମଙ୍ଗଳସୂତ୍ର ଆଦି ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଏଏସ୍‌ଆଇ ଦିପ୍ତି ରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଗୁଣି ଗାରେଡି କରୁଥିବା ସନ୍ଦେହ କରି ତାଙ୍କୁ ପୂର୍ବରୁ ଗାଁ ଲୋକ ବାସନ୍ଦ କରିଥିଲେ । ଗାଳି ଗୁଲଜ ଘଟଣାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ ମାରିଥିବା ମହିଳା ଗୋଷ୍ଠୀ ସ୍ବୀକାର କରିଛନ୍ତି। କିରୋସିନି ପକାଇ ପୋଡିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଏ ନେଇ ବୁଧବାର ମହିଳାଙ୍କ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଏତଲାକୁ ଭିତ୍ତିକରି ଘଟଣାର ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶିବଚରଣ ଦାସ କହିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri