ଖୋଲା ଆକାଶ ତଳେ ପାଠପଢ଼ା


ଧୋଡ୍ରା,୮।୧୧(ଡି.ଏନ୍‌.ଏ.)-ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଉପଯୁକ୍ତ ତଦାରଖ, ପରିଚାଳନାର ଅଭାବ ଓ କେତେକ ଅଧିକାରୀ, ଶିକ୍ଷକଙ୍କ ଅସାଧୁ ମନୋବୃତ୍ତି ଯୋଗୁ ସେ ସବୁ ଫସର ଫାଟି ଯାଉଛି । ଏହାର ଏକ ନଗ୍ନ ନମୁନା ହେଉଛି ନବରଙ୍ଗପୁର ଜିଲାର ଦୁର୍ଗମ ଝରିଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା । ସ୍କୁଲ ଗୃହ ନ ଥିବାରୁ ପିଲାମାନେ ଖୋଲା ଆକାଶ ତଳେ ଅ..ଆ.. ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ବେନ୍ଦ୍ରାଛପର ଗ୍ରାମରେ ପ୍ରଥମେ ବିଦ୍ୟାଳୟ ନ ଥିଲା। ପିଲାମାନେ ଦୀର୍ଘ ୩ କି.ମି. ଦୂର ନିରୁଣ୍ଡିରେ ଥିବା ବୁଆଲିବେଡା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ । ସରକାରଙ୍କ ତରଫରୁ ୨୦୧୩ ଶିକ୍ଷାବର୍ଷରେ ବେନ୍ଦ୍ରାଛପର ଗାଁରେ ଏକ ନୂତନ ପ୍ରାଥମିକ ବିଦ୍ୟାଳୟର ସ୍ଥାପନ କରାଯାଇଥିଲା। ଆଶା କରାଯାଉଥିଲା ପିଲାମାନଙ୍କ ପାଠପଢା ସମସ୍ୟା ଦୂର ହୋଇଯିବ। କିନ୍ତୁ ଭିତ୍ତିଭୂମି ଅଭାବରୁ ନାମକୁ ମାତ୍ର ଗାଁରେ ସ୍କୁଲ ଖୋଲିଛି। ସ୍କୁଲ ଗୃହ ନ ଥିବାରୁ ଗ୍ରାମର ତିରୁପତି ସାନ୍ତାଙ୍କ ଘର ଅଗଣାରେ ବିଦ୍ୟାଳୟ ଚାଲୁଛି । ବିଦ୍ୟାଳୟରେ ନା ଅଛି କଳାପଟା, ଚକ୍‌ଖଡି ନା ଶିକ୍ଷକଙ୍କ ପାଇଁ ଟେବୁଲ ଚେୟାର ା ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ପ୍ରଧାନଶିକ୍ଷକ ଅବନ୍ତି କୁମାର ସିଲ୍‌ ଏବଂ ଶିକ୍ଷା ସହାୟକ ବୈକୁଣ୍ଠ ନାଥ ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି । ପ୍ରଧାନଶିକ୍ଷକ ନିୟମିତ ବିଦ୍ୟାଳୟକୁ ଆସି ନ ଥାନ୍ତି। ମାସକରେ ଅତି ବେଶିରେ ୪ରୁ ୫ ଦିନ ଆସିଥାନ୍ତି ା ଆଉ ସେହି ସମୟରେ ସେ ସାଥିରେ ଆଣିଥିବା ବିଦ୍ୟାଳୟର ଉପସ୍ଥାନ ଖାତାରେ ଏକାଥରକେ ସମସ୍ତ ଦିନର ଉପସ୍ଥାପନ ପକାଇଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଅବନ୍ତି କୁମାର ସିଲ ଆରମ୍ଭରୁ ନିୟୋଜିତ ଅଛନ୍ତି ା ମାସକୁ ୫ରୁ ୬ ଦିନ ବିଦ୍ୟାଳୟକୁ ଆସନ୍ତି ବୋଲି ସ୍କୁଲ କମିଟି ସଭାପତି ଅକ୍ଷୟ ଜାନି କହିଛନ୍ତି। ଶିକ୍ଷା ସହାୟକ ବୈକୁଣ୍ଠ ହିଁ ୫ଟି ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଥାନ୍ତି । ମୋଟ ୪୧ ଜଣ ପିଲା ନାମ ଲେଖାଇଛନ୍ତି। କିନ୍ତୁ ବିଦ୍ୟାଳୟକୁ ପ୍ରତିଦିନ ୮ରୁ ୧୦ ଜଣ ପିଲା ପାଠ ପଢିବାକୁ ଆସିଥାନ୍ତି। ଅନ୍ୟ ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ୧୪ଲକ୍ଷ ଟଙ୍କା ବ୍ୟୟରେ ଏକ ଶ୍ରେଣୀଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି। ଖରା, ବର୍ଷା ଓ ଶୀତରେ ଖୋଲା ଆକାଶ ତଳେ ପିଲାମାନେ ବହୁ ହଇରାଣରେ ପାଠ ପଢୁଛନ୍ତି। ବର୍ଷା ହେଲେ ସ୍କୁଲ ଛୁଟି କରିବାକୁ ପଡିଥାଏ । ଅର୍ଦ୍ଧନିର୍ମିତ ଗୃହ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଯନ୍ତ୍ରୀ ଓ ବିଇଓଙ୍କୁ ଅଭିଯୋଗ ପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ।ପିଲାମାନଙ୍କୁ ଦୀର୍ଘ ବର୍ଷ ହେବ ପୋଷାକ ବଣ୍ଟନ ହୋଇ ନାହିଁ। ଚଳିତ ବର୍ଷ ୬୦ ହଜାର ଟଙ୍କା ଉଠାଣ ହୋଇଥିଲେ ମଧ୍ୟ ଅନେକ ଶିଶୁ ନୂତନ ପୋଷାକ ପାଇବାରୁ ବଞ୍ଚତ୍ତ ରହିଥିବା କେଶବ ସାନ୍ତା, ଶୁକ୍ରୁ ବିନ୍ଧାଣୀ, ଚେନ୍‌ ବିନ୍ଧାଣୀ, ଗଙ୍ଗା ଗୌଡ଼, କୀର୍ତ୍ତନ ଗୌଡ଼, ରବି ସାନ୍ତା, କମଳ ସାନ୍ତା, ମଧୁ ସାନ୍ତା, କେଶବ ସାନ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି । ଶ୍ରେଣୀଗୃହ ସମ୍ପର୍କରେ ଯନ୍ତ୍ରୀ ବିଚିତ୍ରା ନନ୍ଦ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରଧାନଶିକ୍ଷକଙ୍କୁ ଦୀର୍ଘ ବର୍ଷ ହେବ ଲିଖିତ ତାଗିଦ୍‌ ପରେ ବି ସେ କିଛି ଶୁଣି ନ ଥିଲେ। ତେଣୁ ସେ ନିଜେ ବିଦ୍ୟାଳୟର ଛାତପଡିଥିବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ । ତେବେ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ରିକଭରି କରିବାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ । ଅନେକ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ହୋଇ ନ ଥିବା ସମ୍ପର୍କରେ ସିଆରସିସି ରାମକୃଷ୍ଣ ବିଶ୍ୱାସଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ତେବେ ବିଦ୍ୟାଳୟରେ ଅବ୍ୟବସ୍ଥା ଘଟଣାକୁ ସ୍ବୀକାର କରିଥିଲେ ା ଚଳିତ ସମିତି ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟକୁ ଆସୁ ନ ଥିବା ନେଇ ଏମ୍‌ପି ଓ ମନ୍ତ୍ରୀଙ୍କଠାରେ ଅଭିଯୋଗ କରିଥିଲେ । ତେବେ ଏମ୍‌ପି ବଳଭଦ୍ର ମାଝି ଶିକ୍ଷା କ୍ଷେତ୍ରରେ ଅବହେଳା କରୁଥିବା ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କଲେ ହିଁ ଅନ୍ୟମାନେ ଠିକ୍‌ ରାସ୍ତାକୁ ଆସିବେ ବୋଲି ମତ ରଖିଥିଲେ । ପ୍ରଧାନଶିକ୍ଷକ ଅବନ୍ତି କୁମାର ସିଲଙ୍କୁ ସ୍କୁଲର ଅବହେଳା ନେଇ ଯୋଗାଯୋଗ କରିବାରୁ ସେ ଅସୁସ୍ଥ ଥିବାରୁ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି ବୋଲି କହିଥିଲେ । ବିଦ୍ୟାଳୟ ଗୃହ ନିର୍ମାଣରେ ତାଙ୍କୁ ସହଯୋଗ ମିଳି ନ ଥିବାରୁ ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଥିବା କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri