୩୩ ପ୍ରତିଶତ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ ସହାୟତା


ରାମନାଗୁଡା, ୮।୧୧(ଡି.ଏନ୍‌.ଏ)- ରାୟଗଡା ଜିଲା ରାମନାଗୁଡା ବ୍ଲକ୍‌ ସଭାଗୃହରେ ବୁଧବାର ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗୀ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଭାରପ୍ରାପ୍ତ ବିଡିଓ ଗୁଲାମ ମକସଦ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ‘ସୌଭାଗ୍ୟ’ ଯୋଜନାରେ ସବୁ ପରିବାରକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିପିଏଲ୍‌ ପରିବାରକୁ ମାତ୍ରାଧିକ ବିଦ୍ୟୁତ୍‌ଦେୟ ଆସୁଥିବା ନେଇ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ବିରିକା ବୈଠକରେ ଜଣାଇଥିଲେ। ୧୦ଲକ୍ଷ ଟଙ୍କା ପଞ୍ଚାୟତ ବହନକଲେ ଯେ କୌଣସି ଗ୍ରାମକୁ ପାଇପ୍‌ ମାଧ୍ୟମରେ ପାନୀୟ ଜଳଯୋଗାଣ ସମ୍ଭବ ହୋଇପାରିବ ବୋଲି ଆଲୋଚନା କରାଯାଇଥିଲା । ବ୍ଲକ୍‌ର ପେଣକାମ ଏବଂ ପାରିଖିତିରେ ଜଳ ଯୋଗାଣ ପ୍ରକଳ୍ପ ସୌରଶକ୍ତି ମାଧ୍ୟମରେ ପରିଚାଳିତ ହେବ। ସେହିପରି ଉକାମ୍ବା ଏବଂ ଏଦୁରୁୱାଲସା ଗ୍ରାମରେ ୨ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପୂର୍ବରୁ ସୌରଶକ୍ତି ମାଧ୍ୟମରେ ୧୦ଟି ପ୍ରକଳ୍ପ କରାଯିବାକୁ ସ୍ଥିର କରାଯାଇଥିଲା । ୨ଟିକୁ ମଞ୍ଜୁର ମିଳିଥିବା ବେଳେ ଆଉ ୮ଟି ଖୁବ୍‌ଶୀଘ୍ର ମିଳିଯିବ ବୋଲି ସହକାରୀ ଯନ୍ତ୍ରୀ ନୀଳାଞ୍ଚଳ ପଣ୍ଡା ପ୍ରକାଶ କରିଥିଲେ । ନୂତନ ସମିତି ଗଠନ ଦିନଠାରୁ କୌଣସି ସହାୟତା ରାଶି ଆସି ନଥିବାରୁ ବ୍ଲକରେ ଉନ୍ନୟନ କାମ ହୋଇ ପାରୁନି । କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରାଯାଉଛି। ପିଏମ୍‌ଏୱାଇ ଯୋଜନାରେ ଘର ପଟ୍ଟା ନ ଥିବା ହିତାଧିକାରୀଙ୍କୁ ବାଙ୍ଗିଛକ ଏବଂ ପାରିଖିତିରେ ପଟ୍ଟା ଯୋଗାଇ ଘର କରିବାକୁ ମତପ୍ରକାଶ ପାଇଛି । ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକଙ୍କୁ ବଦଳି କରାଯାଉଥିବା ବେଳେ ସେଠାରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନ ଥିବା ହେତୁ ପାଠପଢା ବ୍ୟାହତ ହେଉଥିବା ଆଲୋଚନା ହୋଇଥିଲା । କୃଷି ବିଭାଗ ଅଧିକାରୀ ବଣ୍ଟୁ ହାଲଦାର ପ୍ରକାଶ କରିଥିଲେ ଯେ, ରାଜସ୍ବ ବିଭାଗ ଏବଂ କୃଷି ବିଭାଗ ଦ୍ୱାରା ତଦାରଖ କରାଯାଇ ୧୦ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ କରି ଜିଲାକୁ ପଠାଯିବ । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ସରକାରୀ ସୁବିଧା ମିଳିବ । ଏହା ସହିତ ଆଗାମୀ ରବି ଫସଲ ନିମନ୍ତେ ବିହନ ସାର କିଟ୍‌ ମାଗଣାରେ ଦିଆଯିବ। ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ରୋଗୀମାନେ ଫେରିବା ସମୟରେ ଗାଡି ନ ମିଳିବାରୁ ଅସୁବିଧା ହେଉଥିବା କିଛି ସରପଞ୍ଚ ବୈଠକରେ କହିଥିଲେ । ଡାକ୍ତରଖାନାରେ ୪୮ଘଣ୍ଟା ତତ୍ତ୍ବାବଧାନରେ ରହିବା ପରେ ସମ୍ପୃକ୍ତ ରୋଗୀଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା ରହିଛି ବୋଲି ଗୋଷ୍ଠୀ ଚିକିତ୍ସାଧିକାରୀ ନିରଞ୍ଜନ ପାତ୍ର ପ୍ରକାଶ କରିଥିଲେ । ଏହି ବୈଠକରେ ସାଂସଦ ପ୍ରତିନିଧି ଗଗନ ଆଚାର୍ଯ୍ୟ, ବିଧାୟକ ପ୍ରତିନିଧି ଦାମୋଦର କୈବର୍ତ୍ତ, ଜିଲା ପରିଷଦ ସଭ୍ୟା ସାରଦା ସେନାପତି ଏବଂ ପୁଷ୍ପାଜିନୀ ମୁଟ୍ଟିକା ଯୋଗ ଦେଇଥିଲେ । ଜିପିଇଓ ବିବରଣୀ ପାଠ କରିଥିବା ବେଳେ ସହକାରୀଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri