ଭଲ ଶିକ୍ଷକ ନଦେବା ଯାଏଁ ତାଲା ଖୋଲିବନି


ଝରିଗାଁ/ଧୋଡ୍ରା,୬।୧୧(ସ୍ବ.ପ୍ର./ଡି.ଏନ.ଏ.)-ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲାରେ ପିଲାଙ୍କ ପାଇଁ ପ୍ରାଥମିକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ବିଡମ୍ବନା ଏ ଦିଗରେ ଶିକ୍ଷକମାନଙ୍କ ଅବହେଳା ପାଇଁ ପିଲାଙ୍କ ପାଠପଢା ହୋଇପାରୁ ନାହିଁ କି ସେମାନଙ୍କ ପେଟକୁ ମଧ୍ୟାହ୍ନ ଭୋଜନ ଯାଇପାରୁ ନାହିଁ। ସ୍କୁଲରେ ଶିକ୍ଷକମାନେ ନିୟମିତ ଅନୁପସସ୍ଥିତ ରହିବା ପରେ ସଚେତନ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ଏ ହେଉଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍‌ କାନା କାନାକୋଟ ପଞ୍ଚାୟତ କେନ୍ଦ୍‌ୁଗୁଡା ବିଦ୍ୟାଳୟର ଚିତ୍ର। ୧୯୭୩ ମସିହାରେ କେନ୍ଦ୍‌ୁଗୁଡା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ସେଠାରେ ୧୦୬ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ ଜଣ ଶିକ୍ଷକ ନିୟୋଜିତ ରହିଛନ୍ତିି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ବହୁ ସମୟରେ ଅନୁପସ୍ଥିତ ରହୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଗତ ମାସ୧୨ ତାରିଖରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପାଇଁ ବିଇଓ ସୁରେଶ ଚନ୍ଦ୍ର ନାଏକ, ଏବିଇଓ ବିଜୟାନନ୍ଦ ସୋରୀ ଏବଂ ସିଆରସିସି ରାମକୃଷ୍ଣ ବିଶ୍ୱାସ କେନ୍ଦ୍‌ୁଗୁଡା ଯାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ଅବହେଳା କରୁଥିବା ଦୁଇ ଶିକ୍ଷକଙ୍କ ବଦଳି କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ସମୟ ବିତିଯାଇଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ପ୍ରତିଶ୍ରୁତି ରଖିନଥିବା ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଗୌଡୂ ଓ ସଦସ୍ୟ ମକରନ୍ଦ ଗଣ୍ଡ, ଦଶମୁ ଗଣ୍ଡ, ସନୁ ଗୌଡ, ଠାକୁରରାମ ଗୈଡ, ସନୁ ଗଣ୍ଡ ପ୍ରମୁଖ କହିଛନ୍ତି। ସେହିପରି ଚଳିତ ମାସ ୨ ତାରିଖ ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପରେ କାହାକୁ କିଛି ନକହି ଅନ୍ୟତ୍ର ଚାଲିଯାଇଥିଲେ। ଉକ୍ତ ଦିନ ଅନ୍ୟ ଦୁଇ ସହକାରୀ ଶିକ୍ଷକ ମଧ୍ୟ ଅନୁପସ୍ଥିତ ଥିଲେ। ଶେଷରେ ଗ୍ରାମବାସୀ ଅପରାହ୍ନ ୪ଟାରେ ବିଦ୍ୟାଳୟରେ ତାଲା ପକାଇଥିଲେ। ସୋମବାର ବିଦ୍ୟାଳୟକୁ ଜଣେ ଶିକ୍ଷକ ଆସିଥିଲେ ମଧ୍ୟ ସ୍କୁଲରେ ତାଲା ପଡିଥିଲା। ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ପାଠ ପଢିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ଖାଇପାରି ନଥିଲେ। ଶିକ୍ଷକ ଜଣଙ୍କ ଠାରୁ ଖବରପାଇ ସିଆରସିସି ରାମକୃଷ୍ଣ ବିଶ୍ୱାସ ଆସି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ କିନ୍ତୁ ତାଙ୍କ କଥା କେହି ମାନିନଥିଲେ। ଆମେ ପାଠ ପଢିବୁ ଆମକୁ ଭଲ ଶିକ୍ଷକ ଦରକାର ବୋଲି ବିଦ୍ୟାଳୟର ଛାତ୍ରୀଛାତ୍ର ସବିତା ଗଣ୍ଡ, କୁନି ଗୌଡ, ରୁକମଣି ଗଣ୍ଡ, ମନସା ଗୌଡ, ରଜନୀ ଗୌଡ, ସବିତା ଗୌଡ, ମଙ୍ଗୁ ଗୌଡ ପ୍ରମୁଖ କହିଛନ୍ତିି। ବିଦ୍ୟାଳୟରେ ଦୁଇ ଶିକ୍ଷକ ବଦଳି ନହେବା ଯାଏଁ ବିଦ୍ୟାଳୟରୁ ତାଲା ଖୋଲିବନି ବୋଲି ଅଭିଭାବକମାନେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri