ଘାଟି ରାସ୍ତାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ହେଲପର ମୃତ


ଲକ୍ଷ୍ମୀପୁର, ୬।୧୧(ଡି.ଏନ୍‌.ଏ)-କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଧିନ ୩୨୬ ନମ୍ବର ଜାତୀୟ ରାଜପଥର ମୀନାପାଇ ଘାଟି ରାସ୍ତାରେ ସୋମବାର ଏକ କାଠ ବୋଝେଇ ଟ୍ରକ (ନଂ. ଓଆର-୧୮ ବି ୭୧୮୯) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲପର ନାରାୟଣ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଚନ୍ଦନ ନାୟକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଟ୍ରକଟି ରାୟଗଡା ଅଭିମୁଖେ ଯାଉଥିଲା। ଭୋର ୫.୩୦ମିନିଟରେ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କିଛି ଲୋକ ଏ ସମ୍ପର୍କରେ ଲକ୍ଷ୍ମୀପୁର ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟ ସଦଳବଳ ପହଞ୍ଚତ୍ ଜେସିବି ଯୋଗେ ଗାଡି ତଳେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ସଙ୍କଟାପନ୍ନ ଅବସ୍ଥାରେ ହେଲପର ନାରାୟଣଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ନାରାୟଣଙ୍କ ଘର ଗଞ୍ଜାମ ଜିଲା ଆସ୍କା ଥାନା ବାଲିପଦର ଗ୍ରାମରେ ବୋଲି ସୂଚନା ମିଳିଛି। ସେହିପରି ଗୁରୁତର ଆହତ ହୋଇଥିବା ଡ୍ରାଇଭର ଚନ୍ଦନଙ୍କ ଘର ଗଞ୍ଜାମ ଜିଲା ଗାଙ୍ଗପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଲକ୍ଷ୍ମୀପୁର ଥାନା ଏସ୍‌ ଆଇ ମନୋରଞ୍ଜନ ସାହୁ ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛନ୍ତି। ସେ ରାୟଗଡା ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ଫେରିଆସିଛନ୍ତି। ଏକ ଘରୋଇ କମ୍ପାନୀ ମନମୁଖୀ ଭାବେ ରାସ୍ତା ନିର୍ମାଣ କରୁଥିବା ବେଳେ ଉକ୍ତ ସ୍ଥାନରେ ଗାଡି ଚାଳକମାନେ ଠିକ୍‌ ଭାବେ ରାସ୍ତା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାନଗଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri