ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ଅନ୍ତେବାସୀ


ପଟ୍ଟାଙ୍ଗି ୫।୧୧ (ଡି.ଏନ.ଏ) କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ପୋଡାପଦର ଗ୍ରାମରେ ଏକ ମାତ୍ର କସ୍ତୁରବା ଗାନ୍ଧି ବିଦ୍ୟାଳୟ ହଷ୍ଟେଲରେ ପାଣି ସମସ୍ୟା ଯୋଗୁ ଅନ୍ତେବାସୀ ଛାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଷଷ୍ଠରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ଜଣ ଛାତ୍ରୀ ଏଠାରେ ରହି ପାଠ ପଢଉଛନ୍ତି। ସେମାନଙ୍କ ନିତିଦିନିଆ ଚଳଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପାନୀୟ ଜଳ ସୁବିଧା କରାଯାଇନାହିଁ। ଫଳରେ ଅନ୍ତେବାସୀମାନେ ହଷ୍ଟେଲରୁ ବାହାରକୁ ଯାଇ ପାନୀୟ ଜଳ ସଂଗ୍ରହ କରିବାକୁ ଯାଉଛନ୍ତି। ନିକଟସ୍ଥ ନଳକୂପ ନିକଟରେ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ବିଦ୍ୟାଳୟ କତୃପକ୍ଷ ଏପରି ସମସ୍ୟାକୁ ଏକ ପ୍ରକାର ଏଡେଇ ଯାଉଛନ୍ତି। ସରକାରୀ ନିୟମ ଅନୁଯାୟୀ ହଷ୍ଟେଲ ବାହାରକୁ କୌଣସି ଛାତ୍ରୀ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଉଛି। ହଷ୍ଟେଲ ପରିସରରେ ଛାତ୍ରୀଙ୍କ ପାଇଁ ଗୋଟିଏ ନଳକୂପ ଥାଇ ନଥିବା ପରି ହୋଇଛି। ଏଥିରୁ ଆବଶ୍ୟକ ମୁତାବକ ପାଣି ମିଳୁନାହିଁ। ଅନ୍ୟପକ୍ଷରେ ପାନୀୟ ଜଳ ବ୍ୟବହାର ପାଇଁ ଏଠାରେ ରହିଥିବା ମୋଟର ଗତ ପାଞ୍ଚ ଦିନ ହେଲା ଖରାପ ହୋଇ ପଡିଛି। ଏହା ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ ସଜାଡିବାକୁ ପଦକ୍ଷେପ ନେଉନାହାନ୍ତି। ଜିଲା ସର୍ବଶିକ୍ଷା ଅଭିଯାନର ସଂଯୋଜକ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏପିଡି ମହେଶ୍ବର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ଅନ୍ତେବାସୀଙ୍କ ପାଣି ସମସ୍ୟା ସମ୍ପର୍କରେ ଅବଗତ ଅଛି। ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଛାତ୍ରୀମାନେ କାହା ଅନୁମତି ନେଇ ଛାତ୍ରୀନିବାସ ବାହାରକୁ ପାଣି ସଂଗ୍ରହ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ତଦନ୍ତ ହେବ ବୋଲି ନାୟକ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri