ନିୟନ୍ତ୍ରିତ ବଜାର କମିଟି କରୁନି ମଣ୍ଡି


କୁନ୍ଦୁରା,୫।୧୧(ଡି.ଏନ୍‌.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଜିଲା ପ୍ରଶାସନ ତଥା ଯୋଗାଣ ବିଭାଗ ଦ୍ୱାରା ନଭେମ୍ବର ପହିଲାରୁ ଖରିଫ ଧାନ କ୍ରୟ ନେଇ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ଚାଷୀଙ୍କ ଧାନ ଅମଳ ହୋଇ ନ ଥିବାରୁ ମଣ୍ଡି ଆରମ୍ଭ ହୋଇନାହିଁ ା କୁନ୍ଦୁରା ବ୍ଲକ ଅଧୀନରେ ଥିବା କୁନ୍ଦୁରା, ଡଙ୍ଗରପାଉଁସୀ, ଦିଗାପୁର, ଲିମା, ତରାପୁଟ, ଖଟଲାପଦର, ପକନାଗୁଡା ଏବଂ ଉଦଲଗୁଡାଠାରେ ଖରିଫ ଋତୁରେ ପ୍ରତିବର୍ଷ ମଣ୍ଡି କରାଯାଉଛି। ମାତ୍ର ଏଠାରେ ସ୍ଥାୟୀ ମଣ୍ଡିସ୍ଥଳ ନ ଥିବାରୁ ଚାଷୀଙ୍କୁ ନିଜ ଖର୍ଚ୍ଚରେ ଅସ୍ଥାୟୀ ମଣ୍ଡିସ୍ଥଳ ତିଆରି କରିବାକୁ ପଡୁଛି । ନିୟମାନୁସାରେ ଜୟପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ ଗଦେଇବା ନିମନ୍ତେ ମଣ୍ଡିସ୍ଥଳ ରକ୍ଷଣାବେକ୍ଷଣ ଏବଂ ଚାଷୀ ଗଦେଇଥିବା ଧାନର ସୁରକ୍ଷା ନିମନ୍ତେ ବିଦ୍ୟୁତ୍‌, ପାଣି ଏବଂ ପାଲ ବ୍ୟବସ୍ଥା କରିବା କଥା ା କୁନ୍ଦୁରା ବ୍ଲକରେ ୨୨ ବର୍ଷରୁ ଊର୍ଦ୍ଧ୍ୱ ହେବ ମଣ୍ଡି ହୋଇ ଆସୁଥିଲେ ମଧ୍ୟ ଏଯାବତ ନିୟନ୍ତ୍ରିତ ବଜାର କମିଟି ସ୍ଥାୟୀ ମଣ୍ଡି କରିବା ଦିଗରେ ଅବହେଳା ପ୍ରଦର୍ଶନ କରିଆସୁଛି। କୁନ୍ଦୁରା ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ଧାନ ୩୦-୪୦ ଭାଗ ସରିଯାଇଛି। ଏକ ସସ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଧାନ ଅମଳ ସରିଯିବ । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଚାଷୀ ନିଜ ଖର୍ଚ୍ଚରେ ମଣ୍ଡିସ୍ଥଳ ତିଆରି କରୁଛନ୍ତି । କେଉଁଠି ବିଦ୍ୟାଳୟ ଖେଳ ପଡିଆ ତ ଅନ୍ୟ କେଉଁଠି ସାପ୍ତାହିକ ହାଟରେ ମଣ୍ଡିସ୍ଥଳ ହେଉଛି ା ଏସମ୍ପର୍କରେ ବ୍ଲକ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଯୋଗାଣ ସଚିବ, ଯୋଗାଣ ମନ୍ତ୍ରୀ, ଜିଲାପାଳ ଏବଂ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର କେବଳ ପ୍ରତିଶ୍ରୁତିରେ ମଣ୍ଡି ନିର୍ମାଣ ରହିଛି ବୋଲି ସଭାପତି ମଦନ ମନୋଜ ସାନ୍ତରା କହିଛନ୍ତି ା କୁନ୍ଦୁରା ବ୍ଲକରେ ଚାଷୀ ରବି ଏବଂ ଖରିଫ ଋତୁରେ ପ୍ରତିଯୋଗିତାମୂଳକ ଭାବେ ଚାଷ କରି ରବି ଋତୁରେ ୩୦ରୁ ୩୫ କୁଇଣ୍ଟାଲ ଏବଂ ଖରିଫ ଋତୁରେ ୨୫ରୁ ୩୦ କୁଇଣ୍ଟାଲ ଧାନ ଅମଳ କରୁଛନ୍ତି। ମାତ୍ର ସରକାର ଏକର ପିଛା ୧୨ କୁଇଣ୍ଟାଲ ଧାନ କ୍ରୟ କରୁଛନ୍ତି। ଚଳିତ ଖରିଫ ଋତୁରେ ଏକର ପିଛା ୨୦ କୁଇଣ୍ଟାଲ ଧାନ କ୍ରୟ କରିବାକୁ ମଞ୍ଚ ଦାବି କରିଛି। ଯୋଗାଣ ବିଭାଗ, କ୍ରୟକାରୀ ସଂସ୍ଥା, ଏବଂ ମିଲମାଲିକଙ୍କ ସଲାସୁତରାରେ ଚାଷୀଙ୍କଠାରୁ ଏକର ପିଛା ୫ ରୁ ୭ କେ.ଜି. ଧାନ କଟାଯାଉଛି। ଏହି ବ୍ୟବସ୍ଥାକୁ ଚଳିତ ବର୍ଷ ବନ୍ଦ କରାଯିବ ବୋଲି ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ, ସୁକାନ୍ତ ସାହୁ, ବିଜୟ ପଣ୍ଡା, ଅଭୟାନନ୍ଦ ଭଟ୍ଟ, ଅଶୋକ ତ୍ରିପାଠୀ, ରାଜୀବ ଭଟ୍ଟ, ରାଜା କଟ୍ଟ ପ୍ରମୁଖ କହିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri