ବର୍ଷେ ପରେ ବି ରହସ୍ୟ ଉପରୁ ପରଦା ହଟିନି


ପାରଳାଖେମୁଣ୍ଡି, ୨୨।୮(ସ୍ବ.ପ୍ର.) ୨୦୧୬ ଅଗଷ୍ଟ ୨୧। ଏହି ଦିନ ଏକ ବଡ ଖବର କେବଳ ଗଜପତି ଜିଲା ନୁହେଁ ସାରା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ପାରଳା ରାଜପ୍ରାସାଦର ତତ୍କାଳୀନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର, ଭଉଣୀ ବିଜୟଲକ୍ଷ୍ମୀ, ଭାଇ ସଞ୍ଜୟଙ୍କ ମୃତଦେହ ପାରଳାଖେମୁଣ୍ଡି ସହର ଜଙ୍ଗମସାହିସ୍ଥିତ ତାଙ୍କ ବାସଭବନର ବନ୍ଦ କୋଠରୀରୁ ମିଳିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଆଉଜଣେ ଭାଇ ସନ୍ତୋଷଙ୍କର ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହି ବହୁ ଚର୍ଚ୍ଚିତ ଗଣମୃତ୍ୟୁ ଘଟଣାକୁ ସୋମବାର ବର୍ଷେ ପୂରିଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିଲେ ମଧ୍ୟ ଅଦ୍ୟାବଧି ରହସ୍ୟ ଉପରୁ ପରଦା ହଟିନାହିଁ କି ଦୋଷୀ ଧରାପଡ଼ିନାହାନ୍ତି। ଏଥିଯୋଗୁ ମୃତକଙ୍କ ପରିବାରବର୍ଗ କ୍ଷୋଭ ପ୍ରକାଶ କରିବା ସହ ତଦନ୍ତ ପ୍ରକ୍ରିୟା ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ମୃତକମାନଙ୍କ ଅନ୍ୟତମ ଭାଇ ଅମୂଲ୍ୟ ପାତ୍ର ଅଭିଯୋଗ କରିଛନ୍ତି ଯେ, ଘଟଣାର ତଦନ୍ତ ଧିମେଇଯାଇଛି। ବର୍ଷେ ପରେ ବି କ୍ରାଇମବ୍ରାଞ୍ଚ ଓ ପୋଲିସ ହାତ ଖାଲି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ । ନ୍ୟାୟ ପାଇଁ ଆମେ ପୋଲିସଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ, ଓଏଚ୍‌ଆର୍‌ସି, ପୋଲିସ ଡିଜି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁହାରି ଜଣାଇଛୁ । ତଥାପି ତଦନ୍ତରେ ବିଳମ୍ବ ଘଟୁଛି। ଆଖିର ଲୁହ ଓ ଛାତିର କୋହକୁ ଚାପିରଖି ଆମେ କେବଳ ନ୍ୟାୟକୁ ଅପେକ୍ଷା ରଖିଛୁ ବୋଲି ଅମୂଲ୍ୟ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି ଯେ, ଥାନାରେ ହୋଇଥିବା ଏ ସଂକ୍ରାନ୍ତ ମାମଲାକୁ ଆମେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲୁ। କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାର ସମସ୍ତ ଦିଗ ଉପରେ ଧ୍ୟାନ ଦେଇ ତଦନ୍ତ ଜାରି ରଖିଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ସମ୍ପତ୍ତି ହଡପ ଉଦ୍ଦେଶ୍ୟ ନେଇ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ୨୦୧୬ ଅଗଷ୍ଟ ୧୪ରେ ରାଜପ୍ରାସାଦ ଆଗରେ ଆନ୍ଦୋଳନ କରିଥିଲେ। ଏହି କ୍ରମରେ ଅଚାନକ ଭାବେ ଅଗଷ୍ଟ ୨୧ତାରିଖରେ ଅନଙ୍ଗମଞ୍ଜରୀ, ବିଜୟଲକ୍ଷ୍ମୀ, ସଞ୍ଜୟଙ୍କ ମୃତଦେହ ମିଳିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ସନ୍ତୋଷଙ୍କର ପରେ ମୃତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ୨୨ତାରିଖରେ ସ୍ଥାନୀୟ ଥାନାରେ ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓଙ୍କ ସମେତ ୧୨ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୨୩ରୁ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଥିଲେ। ଇତିମଧ୍ୟରେ ୩ଟି ପର୍ଯ୍ୟାୟରେ ଅନୁସନ୍ଧାନ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ସେହିପରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ। ମହାରାଜା ଗୋପୀନାଥ ଗଜପତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ବୟାନ ରେକର୍ଡିଂ ହୋଇପାରି ନଥିବା ଦର୍ଶାଇ କ୍ରାଇମବ୍ରାଞ୍ଚ ଅଧିକ ସମୟ ଲୋଡ଼ିଛି। ଫଳରେ ରହସ୍ୟ ଲୋକଲୋଚନକୁ ଆସିବାରେ ବିଳମ୍ବ ହେବାରେ ଲାଗିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri