ଝାଟିମାଟି ଘରେ ଚାଲିଛି ପାଠପଢ଼ା


ପାଣ୍ଡ୍ରିପାଣି,୨୦।୮:ଦେଶ ସ୍ବାଧୀନ ହେବାର ୭୦ ବର୍ଷ ଅତିବାହିତ ହୋଇଗଲାଣି। କିନ୍ତୁ ସ୍ବାଧୀନ ଭାରତରେ ମୌଳିକ ଅଧିକାର ପରିସରଭୁକ୍ତ ଶିକ୍ଷା କ୍ଷେତ୍ରରେ ଅନେକ ବିଦ୍ୟାଳୟରେ ପିଲାଙ୍କ ପାଇଁ ସର୍ବନିମ୍ନ ଭିତ୍ତିଭୂମି ମିଳିପାରୁ ନାହିଁ। ଆଦିବାସୀ ବହୁଳ ମାଲକାନଗିରି ଜିଲାରେ ସରକାରୀ ଶିକ୍ଷା ନୀତି କିପରି ଚାଲିଛି, ତାହା ଭାଲିଆଗୁଡ଼ା ଭଳି ଗୋଟିଏ ଉଦାହରଣରୁ ସ୍ପଷ୍ଟ ହୋଇଯାଏ। ସେରପାଲ୍ଲୀ ପଞ୍ଚାୟତ ଭାଲିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । କିନ୍ତୁ ଏହି ଗ୍ରାମରେ ୨୦୧୫ ମସିହାରୁ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା ବେଳେ ବିଦ୍ୟାଳୟ ଗୃହ ନଥିବାରୁ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଖଜୁରି ପତ୍ର ଏବଂ ଛୋଟ ଛୋଟ ବଲି ସାହାଯ୍ୟରେ ଏକ ଝାଟିମାଟି ଘର ତିଆରି କରିଛନ୍ତି। ସେହି ଘରେ ପିଲାମାନଙ୍କୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ବର୍ଷା ଦିନରେ ତଳେ ପାଣି ଝରୁଥିଲା ବେଳେ ଉପରୁ ମଧ୍ୟ ବର୍ଷାଜଳ ପଡି ପିଲାମାନେ ଓଦା ହେଉଛନ୍ତି। ବହିପତ୍ର ନଷ୍ଟ ହେଉଛି । ଅପରପକ୍ଷେ ବିଦ୍ୟାଳୟରେ ରୋଷେଇ ଘର ନଥିବାରୁ ଏକ ତମ୍ବୁ ତଳେ ମଧ୍ୟାହ୍ନ ଭୋଜନ ରନ୍ଧାଯାଇ ଖୋଲା ଆକାଶ ତଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଉଛି । ଘର ନଥିବାରୁ ଶିକ୍ଷକ ଜଣକ ମଧ୍ୟାହ୍ନ ଭୋଜନ ଚାଉଳକୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ରଖୁଛନ୍ତି। କିନ୍ତୁ ଅଙ୍ଗନୱାଡି ସୁପରଭାଇଜର ନିଜ କେନ୍ଦ୍ରରେ ସ୍କୁଲ ଚାଉଳ ନ ରଖିବା ପାଇଁ ତାଙ୍କୁ ତାଗିଦ କରୁଛନ୍ତି । କିନ୍ତୁ ଶିକ୍ଷକଙ୍କ ପାଖରେ ଅନ୍ୟ ଉପାୟ ମଧ୍ୟ ନାହିଁ। ଏ ସମ୍ବନ୍ଧରେ ମାଲକାନଗିରି ସର୍ବଶିକ୍ଷା ଅଭିଯାନ ସଂଯୋଜକ ମାନସ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି, ଭାଲିଆଗୁଡା ଗ୍ରାମରେ ବିଦ୍ୟାଳୟ ନଥିଲା। ୨ ବର୍ଷ ତଳେ ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଛି । ବିଦ୍ୟାଳୟ ଶ୍ରେଣୀଗୃହ ପାଇଁ ଅର୍ଥ ବରାଦ କରାଯାଇଥିଲା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ସମାପ୍ତ ହେବା ପରେ ଆଉ ସମସ୍ୟା ରହିବ ନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri