ବାଘ ଛାଲ ଜବତ: ୨ ଗିରଫ,ଗ୍ରାହକ ସାଜି ବେପାରୀଙ୍କୁ ଧରିଲା ବନ ବିଭାଗ


ମାଥିଲି/ମାଲକାନଗିରି (ଡି.ଏନ୍‌.ଏ) / ଗୋବିନ୍ଦପାଲି,୨୦।୮-ମାଲକାନଗିରି ଜିଲା ମାଥିଲି ବନାଞ୍ଚଳରୁ ଶନିବାର ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। ଗୋବିନ୍ଦପାଲି ପଞ୍ଚାୟତ ନୀଳଗିରି ବଗିଚା ନିକଟରୁ ବନ କର୍ମଚାରୀମାନେ ଏହାକୁ ଜବତ କରିଛନ୍ତି। ଛାଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଏଥିରେ ଗିରଫ କରାଯାଇଛି। ୨ ଅଭିଯୁକ୍ତ ହେଲେ ଗଜିଆଗୁଡା ଗ୍ରାମର ହରି ଖରା ଓ ଅବଲି ଗୋଲରୀ। ସୂଚନା ଅନୁଯାୟୀ, ହରି ଓ ଅବଲି ପୂର୍ବରୁ ଛତିଶଗଡ ଅଞ୍ଚଳରୁ ବାଘ ଛାଲ ଆଣି ଓଡିଶାରେ ବିକ୍ରି କରୁଥିଲେ। ସେମାନଙ୍କ ବାବଦରେ ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ। ବନ କର୍ମଚାରୀଙ୍କ ସତର୍କ ଦୃଷ୍ଟିରେ ଥିଲେ ଏହି ଦୁଇ ଜଣ। ଶୁକ୍ରବାର ହରି ଓ ଅବଲି ଗୋବିନ୍ଦପାଲି ନିକଟସ୍ଥ ନୀଳଗିରି ବଗିଚା କଡ଼ରେ ବାଘ ଛାଲ ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲେ। ମାଥିଲି ବନ ବିଭାଗର ୨ କର୍ମଚାରୀ ସାଧା ପୋଷାକରେ ଗ୍ରାହକ ସାଜି ଛାଲ କିଣିବା ପାଇଁ ସେମାନଙ୍କ ସହ ମୁଲଚାଲ କରୁଥିଲେ। ଏତିକି ବେଳେ ଛପି ରହିଥିବା ଅନ୍ୟ କର୍ମଚାରୀମାନେ ଉଭୟଙ୍କୁ କାବୁ କରିଥିଲେ। ବାଘଛାଲ ଜବତ କରାଯିବା ସହ ହରି ଓ ଅବଲିଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ଅଭିଯାନରେ ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ, ଚନ୍ଦ୍ର ମାଝି, ନିରଞ୍ଜନ ସାହୁ, ଫରେଷ୍ଟ ଗାର୍ଡ ତପନ କୁମାର ସାହା, ବିପ୍ର ମଣ୍ତଳ, ସୁବାସ ମଣ୍ତଳ, ବାପି ମଣ୍ତଳ ପ୍ରମୁଖ ସାମିଲ ଥିଲେ। ଶନିବାର ଗୋବିନ୍ଦପାଲି ସ୍ଥିତ ମାଥିଲି ବନ ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ବନଖଣ୍ତ ଅଧିକାରୀ ସମ୍ରାଟ ଗୌଡା ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ସମ୍ମିଳନୀରେ ମାଲକାନଗିରି ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ମାଥିଲି ବନାଞ୍ଚଳ ଅଧିକାରୀ ପର୍ଶୁରାମ ଭୂମିଆ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri