ଭୋଟ ବର୍ଜନ ପରେ ବି ସ୍ଥିତି ସୁଧୁରୁନି


ଦଶମନ୍ତପୁର, ୧୮ା୮ (ଡି.ଏନ.ଏ.):କୋରାପୁଟ ଜିଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ପିଣ୍ଡାପଦର ପଞ୍ଚାୟତ ଅଧୀନରେ ଥିବା ଲୋରେସ ଗ୍ରାମ । ସାଧାରଣ ସୁବିଧାରୁ ବଞ୍ଚିତ ଏହାର ଗ୍ରାମବାସୀ । ପାନୀୟଜଳର ଘୋର ଅଭାବ ଥିବା ବେଳେ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଯାହା ଫଳରେ ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଏହି ଗ୍ରାମବାସୀମାନେ ବର୍ଜନ କରିଥିଲେ । ତଥାପି ସୁଧୁରିନି ପରିସ୍ଥିତି । ପ୍ରକାଶ ଯେ, ଫେବୃୟାରୀ ଯାଇ ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣି।ତେବେ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ନଜରକୁ ଆସୁଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବା ଦେଖିବାକୁ ମିଳୁଛି । ଏହି ଲୋରେସ ଗ୍ରାମରେ ପ୍ରାୟ ୩୫ଟି ପରିବାର ରହୁଥିବାବେଳେ ଜନସଂଖ୍ୟା ମାତ୍ର ୧୭୫ । ମରିଚିଗୁଡା ଗ୍ରାମଠାରୁ ପ୍ରାୟ ଖଣ୍ଡାଧାର ବିରିମାଳି ପର୍ବତ ପାର ହୋଇ ଗାଁର ପାଦଦେଶରେ ପହଞ୍ଚିବାକୁ ହେଲେ ୫କିମି ଦୂରତା ପଡେ । ଗାଁର ଲୋକେ ବ୍ଲକ କାର୍ଯ୍ୟାଳୟକୁ ଆସୁଛନ୍ତି ସତ, କିନ୍ତୁ ଗାଁକୁ ଯିବାକୁ ହେଲେ ତାଙ୍କୁ ୨ଦିନ ସମୟ ଲାଗୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପରି କି ଖଣ୍ଡାଧାର ପର୍ବତ ଚଢି ଗାଁକୁ ଯାଉଥିବାବେଳେ କେତେ ଜଣ ଅନ୍ୟ ମନସ୍କ ହୋଇ ଗୋଡଖସି ପ୍ରାଣ ହାନି ମଧ୍ୟ ହୋଇଯାଇଥିବା ଜହନ ସାଉନ୍ତା, ଧନୁର୍ଜୟ କମାର, ବଳରାମ ପାଇକ, ପେଟା ପାଇକ, ଉଦ୍ଧବ କମାର, ମାନୁ ସାଉନ୍ତା, ଦୟା ଜାନି, ଲବି ସାଉନ୍ତା, ଧୋବା ସାଉନ୍ତା ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି । ବିଭିନ୍ନ ଦାବି ପୂରଣ ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ବିଫଳ ହେବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ । କିନ୍ତୁ ଆଜି ଯାଏଁ ପ୍ରଶାସନ ଆମ ଗ୍ରାମକୁ ପହଞ୍ଚି ନ ଥିବା କିଛି ଗ୍ରାମବାସୀ ଜଣାଇଛନ୍ତି । ଓଲଟା ଉତ୍ତର ମିଳୁଛି ନେତାମାନଙ୍କଠାରୁ ଯେ ଆମେ ଭୋଟ ମାଗିବାକୁ ଯାଇଥିଲୁ ଆମକୁ ଭୋଟ ନ ଦେଇ ବର୍ଜନ କଲ । ତେଣୁ ତୁମ ଗ୍ରାମର ଆଉ ବିକାଶ ହୋଇପାରିବ ନାହିଁ ବୋଲି ଆମକୁ ଧମକ ଦେବାକୁ ପଛାଉ ନ ଥିବା ପ୍ରକାଶ କରିଛନ୍ତି । ଯଦି ଆମ ସମସ୍ୟାର କୌଣସି ସମାଧାନ ନ ହୁଏ ତେବେ ଆମେ ବାଧ୍ୟ ହୋଇ ଭିଟାମାଟି ଛାଡିବାକୁ ବାଧ୍ୟ ହେବା ସହ ଅନ୍ୟ ପନ୍ଥା ମଧ୍ୟ ଆପଣାଇବାକୁ ପଛାଇବୁ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ବିଡିଓ ସୁକାନ୍ତ ମାଝିଙ୍କୁ ଯୋଗାଯୋଗ କରିବାରୁ ସେ ଲୋରେସ ଗ୍ରାମର ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଉତ୍ତର ଦେଇଥିବା ଜଣାପଡିଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri