ନୂଆପଡା,୪।୧୧: ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାମାନେ ପଚାରିଲେନି। ଫୋନ କଲେନି କି ହସ୍ପିଟାଲ ଚିକିତ୍ସା ନେଇ ବୁଝିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ କଲେନି। ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ ବୋଲି ଢୋଲକିଆଙ୍କ ପତ୍ନୀ କହିଛନ୍ତି। ସେ ଆହୁରି କହିଛନ୍ତି, ଆଜି ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି।୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ। ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ। ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ବିକାଶ ପାଇଁ ମିଶିଛୁ। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ।
ଅନ୍ୟପଟେ, ଜୟ କହିଥିଲେ, ବାପା ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ। ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା। ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ। ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ଭାଜପାକୁ ଆସିଲି। ବିଜେଡିରେ ଏହା ସମ୍ଭବ ହୋଇ ନଥାନ୍ତା ବୋଲି ଜୟ କହିଥିଲେ।
\