କୋରାପୁଟ,୨୭ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ କୋରାପୁଟ ସହରରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସେହିପରି ଜିଲାର ସୀମାନ୍ତ ପଟ୍ଟାଙ୍ଗି, ବନ୍ଧୁଗାଁ, ନାରାୟଣପାଟଣା ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଥିବା ଜଣାଯାଇଛି। ବାତ୍ୟା ନେଇ ଜନସାଧାରଣକୁ ସତର୍କ କରିବା ପାଇଁ କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ଗାଡ଼ିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସାହିସାହି ବୁଲି ଲୋକଙ୍କୁ ସଚେତନ କରାଯାଉଛି।
ସେହିପରି ବର୍ତ୍ତମାନ କୋରାପୁଟ ମ୍ୟୁନିସିପାଲିଟିଠାରେ ନିର୍ବାହୀ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତହସିଲଦାର ସବୀର ସାହା ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ ଚାଲିଛି। ସେହିପରି ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ବ୍ଲକରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକମାନ କରାଯାଉଛି।



