ଭୁବନେଶ୍ୱର,୨୪ା୯: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଟାରିଫ ପ୍ରତିବନ୍ଧକ ଯୋଗୁ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପ୍ରଭାବିତ ହୋଇଛି ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।
୨୦୨୪-୨୫ ମସିହାରେ ରାଜ୍ୟରେ ପ୍ରାୟ ୧୧.୯୨ ଲକ୍ଷ ମେଟ୍ରିକ ଟନ୍ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ହୋଇଛି, ଯେଉଁଥିରୁ ଚିଙ୍ଗୁଡ଼ିର ଅଂଶ ପ୍ରାୟ ୧.୪୫ ଲକ୍ଷ ମେଟ୍ରିକ ଟନ୍। କିନ୍ତୁ, ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନୀର ପ୍ରମୁଖ ଗନ୍ତବ୍ୟ ଆମେରିକା ନୂଆ ଟାରିଫ ନିୟମ ଯୋଗୁଁ ଏକ ଚ୍ୟାଲେଞ୍ଜିଂ ବଜାର ହୋଇପଡ଼ିଛି।
ରାଜ୍ୟର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ପ୍ରାୟ ୨୪.୫% ଆମେରିକାକୁ ପଠାଯାଏ। ଏହି ପ୍ରତିବନ୍ଧକ ଯୋଗୁଁ ରାଜ୍ୟର ୬୨ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସିଧାସଳଖ ପ୍ରଭାବିତ ହୋଇଛି, ଏବଂ ପ୍ରାୟ ୨୫,୦୦୦ ଚିଙ୍ଗୁଡ଼ି ଚାଷୀ ପରୋକ୍ଷ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ମନ୍ତ୍ରୀ ମଲ୍ଲିକ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ଆଲୋଚନା କରି ଜାପାନ, ଦକ୍ଷିଣ କୋରିଆ, ଯୁକ୍ତରାଷ୍ଟ୍ର, ରୁଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ବିକଳ୍ପ ବଜାର ଖୋଜୁଛନ୍ତି।


