ନୂଆପଡ଼ା,୧ା୧୧ (ମକାରୁ ବେମାଲ): ନବୀନ ବାବୁଙ୍କ ସହିତ ଥିଲୁ, ଆଉ ଆଗକୁ ରହିଥିବୁ। ନୂଆପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସେହ୍ନାଙ୍ଗିନୀ ଛୁରିଆଙ୍କ ବିଜୟ ସୁନିଶ୍ଚିତ ବୋଲି ଶନିବାର କୋମନାଠାରେ ଆୟୋଜିତ ଯାଦବ ମହାସଭାରେ ଦମ୍ଭୋକ୍ତି ପ୍ରକାଶ ପାଇଥିଲା। ବରିଷ୍ଠ ଯାଦବ ନେତା କ୍ଷମା ସିଂ ନିଆଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସର୍ବଭାରତୀୟ ଯାଦବ ମହାସଭା ସମ୍ପାଦକ ରାଜୁ ଘିବେଲା ମୁଖ୍ୟବକ୍ତା, ଉତ୍କଳ ଯାଦବ ମହାସଭା ମହାସଚିବ ନନ୍ଦଲାଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଜେଡି ଶାସନ କାଳରେ ସଦ୍ଭାବନାର ନୂଆ ପରମ୍ପରା ସୃଷ୍ଟି ହୋଇଥିଲା। କେବଳ ଯାଦବ ସମ୍ପ୍ରଦାୟ ନୁହେଁ, ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟକୁ ନବୀନ ପଟ୍ଟନାୟକ ସମାନ ଦୃଷ୍ଟିରେ ଦେଖିଛନ୍ତି। ସେଥିପାଇଁ ନୂଆପଡ଼ା ଉପନିର୍ବାଚନରେ ଯାଦବ ମହାସଭା ବିଜେଡି ପ୍ରତି ସମର୍ଥନକୁ ଅବ୍ୟାହତ ରଖିବ ବୋଲି କହିଥିଲେ। ସଭାରେ ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା କଳ୍ପନା ଯାଦବ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ଓ କଳାହାଣ୍ଡି ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଭବାନୀପାଟଣା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ସିନାପାଲି ଜିଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଳ, ଝରିଆ ସମାଜ ସଭାପତି ପ୍ରୀତରାମ ରାଉତ ଯୋଗଦେଇ ବିଜେଡି ପ୍ରାର୍ଥିନୀ ଛୁରିଆଙ୍କ ସପକ୍ଷରେ ମତଦାନ ପାଇଁ ଆହ୍ବାନ ଜଣାଇଥିଲେ।


