ନୂଆପଡ଼ା,୧୩ା୧୦ (ମକାରୁ ବେମାଲ)ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଏବଂ କଂଗ୍ରେସ ବହୁମତରେ ବିଜୟୀ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସୋମବାର ସ୍ଥାନୀୟ ଏବିଟି ସମ୍ମିଳନୀ କକ୍ଷରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଭକ୍ତ କହିଛନ୍ତି, ଭାଜପା ଓ ବିଜେଡି ପ୍ରାର୍ଥୀ ଚୟନରେ ଅହେତୁକ ବିଳମ୍ବ ଯୋଗୁ ଅଧିକ ଯୁବ ଭୋଟର କଂଗ୍ରେସ ପଟକୁ ଢଳୁଛନ୍ତି ା ବର୍ତ୍ତମାନ କଂଗ୍ରେସର ସ୍ଥିତି ମଜଭୁତ ହେବାରେ ଲାଗିଛି। ଅନ୍ୟ ଦଳର କର୍ମୀ ଓ ଭୋଟର ଆଦିବାସୀ ନେତା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ସମର୍ଥନ ଜଣାଉଛନ୍ତି। କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିର୍ବାଚନୀ ମଇଦାନରେ ଓହ୍ଲାଇ ସାରିଛି। ଅନ୍ୟ ଦଳରେ ଆଶାୟୀଙ୍କ ଲମ୍ବା ଲାଇନ ରହିଥିବାରୁ ଦଳର ସୁପ୍ରିମୋ ପ୍ରାର୍ଥୀ ଚୟନ କରିବାରେ ବିଫଳ ହେଉଛନ୍ତି। କଂଗ୍ରେସ ପ୍ରାର୍ଥୀ ମାଝିଙ୍କୁ ଟକ୍କର ଦେବା ପାଇଁ ବିଜେଡି ଆଦିବାସୀ ପ୍ରାର୍ଥୀ ଦେବାକୁ ଚକ୍କର ଚଳାଇଛି। ହେଲେ ଆଦିବାସୀ ପ୍ରାର୍ଥୀ ଦେଲେ ମଧ୍ୟ ମାଝିଙ୍କ ସମକକ୍ଷ ହୋଇପାରିବେ ନାହିଁ ା ଏହି ମିଶ୍ରଣ ପର୍ବରେ ନୂଆପଡା ଏନ୍ଏସିର ବିଭିନ୍ନ ୱାର୍ଡର ଶତାଧିକ ଯୁବକ କଂଗ୍ରେସରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କଂଗ୍ରେସ ମୁଖପାତ୍ର ହମିତ ହୁସେନ, ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ନୂଆପଡା ଜିଲା ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ, ପବନ ଶର୍ମା, ମହମ୍ମଦ ଜୁନେଦ ପ୍ରମୁଖ ଯୋଗଦେଇଥିଲେ।


