ସଂସଦୀୟ କମିଟିରେ ଭଂସାଲୀ, ପ୍ରସୂନ୍‌ ହାଜର


ନୂଆଦିଲ୍ଲୀ,୩୦।୧୧(ପି.ଟି.)‘ପଦ୍ମାବତୀ’ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବାବେଳେ ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ୍‌ ଜୋଷୀ ଗୁରୁବାର ଭିନ୍ନ ଭିନ୍ନ ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇଛନ୍ତି। ସୂଚନା ଓ ପ୍ରଯୁକ୍ତି (ଆଇଟି) ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ହାଜର ହେବା ପରେ ଭଂସାଲୀଙ୍କୁ ‘ପଦ୍ମାବତୀ’ ଫିଲ୍ମ, ଏହାକୁ ନେଇ ଲାଗି ରହିଥିବା ବିବାଦ ଏବଂ ଏ ସମ୍ପର୍କିତ ଅନେକ ପ୍ରଶ୍ନ କରିଥିଲେ। ଫିଲ୍ମ ବିବାଦରେ ନିଜର ଆଭିମୁଖ୍ୟ ରଖିଥିଲେ ଭଂସାଲୀ। ସେନ୍‌ସର ବୋର୍ଡ ପ୍ରମାଣପତ୍ର ପାଇବା ପୂର୍ବରୁ କେତେକ ଖବରଦାତାଙ୍କୁ ଫିଲ୍ମ ପ୍ରଦର୍ଶନ କରିଥିବା ପ୍ରସଙ୍ଗରେ ମଧ୍ୟ କମିଟି ତାଙ୍କୁ ପ୍ରଶ୍ନ କରିଥିଲା। ବିନା ଦ୍ୱିଧାରେ ପ୍ରମାଣପତ୍ର ହାସଲ କରିବା ଲାଗି ସେନ୍‌ସର ବୋର୍ଡକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଭଂସାଲୀ ଏଭଳି କରିଥିଲେ କି ବୋଲି ସେମାନେ ପ୍ରଶ୍ନ କରିଥିଲେ। କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଢଙ୍ଗରେ ଫିଲ୍ମ ଦେଖାଇବା ଆଇନସମ୍ମତ କି। ନଭେମ୍ବର ୧୧ରେ ପ୍ରମାଣପତ୍ର ଲାଗି ସେନ୍‌ସର ବୋର୍ଡରେ ଆବେଦନ କରି ଡିସେମ୍ବର ୧ରେ ଫିଲ୍ମ ରିଲିଜ୍‌ ହେବ ବୋଲି ନିର୍ଦ୍ଦେଶକ କିଭଳି ଆଶା କରିଥିଲେ। କାରଣ ସିନେମାଟୋଗ୍ରାଫି ଆଇନ ଅନୁଯାୟୀ ଫିଲ୍ମକୁ ପାସ୍‌ କରିବା ଲାଗି ସେନ୍‌ସର ବୋର୍ଡ ସର୍ବାଧିକ ୬୮ ଦିନ ସମୟ ନେଇ ପାରିବ। ରିଲିଜ୍‌ ପୂର୍ବରୁ ବିବାଦ ସୃଷ୍ଟି କରିବା ଫିଲ୍ମ ପ୍ରଚାରର ଏକ ନୂଆ ମାଧ୍ୟମ କି ବୋଲି ପ୍ୟାନେଲ ସଦସ୍ୟ ଭଂସାଲୀଙ୍କୁ ପ୍ରଶ୍ନ କରିଥିଲେ। କାରଣ ଫିଲ୍ମକୁ ଗଣମାଧ୍ୟମରେ ଯେପରି ପ୍ରମୁଖ ବିଷୟବସ୍ତୁ ଭାବେ ପ୍ରସ୍ତୁତ କରାଯାଉଛି, ସୋସିଆଲ୍‌ ମିଡିଆରେ ମଧ୍ୟ ଏହା ବେଶ୍‌ ଚର୍ଚ୍ଚା ପରିସରରେ ରହିଛି ବୋଲି କମିଟି ସଦସ୍ୟ ପ୍ରକାଶ କରିଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ଚରମ ଗୋଷ୍ଠୀକୁ ଟାର୍ଗେଟ୍‌ କରି ଏହି ଫିଲ୍ମ ନିର୍ମାଣ କରାଯାଇଥିବା ଜଣାପଡ଼ୁଛି ବୋଲି ମଧ୍ୟ କମିଟି କହିଛି। ଏହାପୂର୍ବରୁ ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ୍‌ ଜୋଷୀ ମଧ୍ୟ ଲୋକସଭା ପିଟିଶନ୍‌ କମିଟି ସମ୍ମୁଖରେ ହାଜର ହୋଇଥିଲେ। ‘ପଦ୍ମାବତୀ’ ବିବାଦ ସମ୍ପର୍କରେ ସେ କମିଟି ଆଗରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଫିଲ୍ମର କେବଳ ଟ୍ରେଲର୍‌ ଏବଂ ପ୍ରୋମୋ ରିଲିଜ୍‌ ଲାଗି ସେନ୍‌ସର ବୋର୍ଡ ଅନୁମତି ଦେଇଥିଲା ବୋଲି ଜୋଷୀ କହିଥିଲେ। ପ୍ରୋମୋ ରିଲିଜ୍‌ ଲାଗି ମଧ୍ୟ ଅନୁମତି ଦିଆଯିବାର ନ ଥିଲା ବୋଲି ପ୍ୟାନେଲ୍‌ର କେତେକ ସଦସ୍ୟ ପ୍ରକାଶ କରିଥିବାବେଳେ ଆଉ କେତେଜଣ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ଉପରେ ଯୁକ୍ତି ବାଢ଼ିଥିଲେ। ସେହିପରି ଏପର୍ଯ୍ୟନ୍ତ ‘ପଦ୍ମାବତୀ’ ଦେଖି ନ ଥିବା ଜୋଷୀ କମିଟି ନିକଟରେ ସ୍ପଷ୍ଟ କରିଥଲେ। ସେନ୍‌ସର ବୋର୍ଡ ପ୍ରମାଣପତ୍ର ହାସଲ ନ କରି ଏହା ବ୍ରିଟେନ୍‌ରେ କିଭଳି ପହଞ୍ଚିଲା ଏବଂ ସେଠାକାର ପ୍ରମାଣପତ୍ର ହାସଲ କରିଥିଲା ବୋଲି ପ୍ୟାନେଲ ସଦସ୍ୟମାନେ ପ୍ରଶ୍ନ କରିବା ପରେ ଜୋଷୀ ଏହାର ଉତ୍ତର ରଖିଥିଲେ। ଏହା ଏକ ସ୍ବାଧୀନ ପ୍ରକ୍ରିୟା ବୋଲି ସେ ସ୍ପଷ୍ଟ କରିଥିଲେ। ଲୋକ ସଭା କମିଟି ପରେ ଜୋଷୀ ଆଇଟି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ମଧ୍ୟ ହାଜର ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ଫିଲ୍ମ ଉପରେ ଆପତ୍ତି ଉଠାଇ ରାଜସ୍ଥାନର ଦୁଇ ଭାଜପା ଏମ୍‌ପି ସି.ପି. ଜୋଷୀ ଏବଂ ଓମ୍‌ ବିର୍ଲା ଲୋକ ସଭା ପିଟିଶନ୍‌ କମିଟି ନିକଟରେ ଅଭିଯୋଗ ଆଣିଥିଲେ। ଏହାପରେ ଭାଜପା ଏମ୍‌ପି ଭଗତ୍‌ ସିଂ କୋଶ୍‌ୟାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକ ସଭା କମିଟି ସେନ୍‌ସର ବୋର୍ଡ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରୁ ରିପୋର୍ଟ ତଲବ କରିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri