ଭାଜପା ଶାସନରେ ଦଳିତ ନିର୍ଯାତିତ


ନୂଆଦିଲ୍ଲୀ,୩୦।୧୧(ପି.ଟି.)ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ୯ ଦିନ ବାକି ଥିବାବେଳେ ଶାସକ ଭାଜପାକୁ ଶକ୍ତ ଝଟକା ଦେବା ଭଳି ତଥ୍ୟ ପ୍ରଘଟ ହୋଇଛି। ତଫସିଲଭୁକ୍ତ ଜାତି (ଏସ୍‌ସି) ବିରୋଧୀ ହିଂସାରେ ଏହି ରାଜ୍ୟ ଦେଶରେ ପଞ୍ଚମ ସ୍ଥାନ ଗ୍ରହଣ କରିଛି। ସେହିପରି ୫ ଭାଜପା ଶାସିତ ରାଜ୍ୟରେ ଦଳିତମାନେ ସବୁଠୁ ଅଧିକ ହିଂସାର ଶିକାର ହୋଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶର ଅପରାଧ ରେକର୍ଡ ଅନ୍ୟ ସବୁ ରାଜ୍ୟକୁ ଟପିଯାଇଛି। ଅନ୍ୟପକ୍ଷରେ ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ବେଶି ଅସୁରକ୍ଷିତ ହୋଇପଡ଼ିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଏକ ସଦ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।ସାରା ଦେଶର ଅପରାଧ ହାରକୁ ନେଇ ଏନ୍‌ସିଆର୍‌ବି ୨୦୧୬ର ରିପୋର୍ଟ ଗୁରୁବାର ପ୍ରକାଶ କରିଛି। ଏହି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ହତ୍ୟା, ଅପହରଣ ଏବଂ ମହିଳା ଓ ଶିଶୁ ବିରୋଧୀ ହିଂସା ଭଳି ସଙ୍ଗିନ ଅପରାଧ କ୍ଷେତ୍ରରେ ସବୁ ରାଜ୍ୟକୁ ଟପିଯାଇଛି ଉତ୍ତରପ୍ରଦେଶ। ଉଭୟ ଜନସଂଖ୍ୟା ଓ ଆୟତନ ଦୃଷ୍ଟିରୁ ଦେଶର ଏହି ବୃହତ୍ତମ ରାଜ୍ୟରେ ବର୍ଷକ ମଧ୍ୟରେ ୪,୮୮୯ ହତ୍ୟା ମାମଲା ଦାଏର ହୋଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୧୬.୧% ଅଧିକ। ଏହି କ୍ଷେତ୍ରରେ ଉତ୍ତରପ୍ରଦେଶ ତଳକୁ ରହିଛି ବିହାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାସିତ ଏହି ରାଜ୍ୟରେ ୨,୫୮୧ ହତ୍ୟା ମାମଲା (୮.୪%) ରେକର୍ଡ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ୪୯,୨୬୨ ଏବଂ ପଶ୍ଚିମବଙ୍ଗରେ ୩୨,୫୧୩ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୨୦୧୪ରୁ ୨୦୧୬ ମଧ୍ୟରେ ୫ ଭାଜପା ଶାସିତ ରାଜ୍ୟରେ ଦଳିତମାନେ ସର୍ବାଧିକ ଆକ୍ରମଣର ଶିକାର ହୋଇଥିବା ଏଥିରେ କୁହାଯାଇଛି। ସେଗୁଡ଼ିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ, ବିହାର ଓ ଗୁଜରାଟ। ଶିବରାଜ ସିଂ ଚୌହାନଙ୍କ ମଧ୍ୟପ୍ରଦେଶରେ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଲୋକେ ସବୁଠୁ ବେଶି ଆକ୍ରମଣର ଶିକାର ହୋଇଛନ୍ତି। ଏହି ରାଜ୍ୟରେ ୨୦୧୪ରେ ୩,୨୯୪, ୨୦୧୫ରେ ୩,୫୪୬ ଏବଂ ୨୦୧୬ରେ ୪,୯୨୨ ଏସ୍‌ଟି ବିରୋଧୀ ଅପରାଧ ମାମଲା ରୁଜୁ କରାଯାଇଛି। ଏସ୍‌ସି ବିରୋଧୀ ଅପରାଧ କ୍ଷେତ୍ରରେ ଗୁଜରାଟ ପଞ୍ଚମ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ବସୁନ୍ଧରା ରାଜେଙ୍କ ଶାସନାଧୀନ ରାଜସ୍ଥାନ ସବୁଠୁ ଆଗରେ ରହିଛି। ରାଜସ୍ଥାନରେ ଗତବର୍ଷ ଏସ୍‌ସି ବିରୋଧୀ ଅପରାଧ ୧୨.୬% ବୃଦ୍ଧି ପାଇଛି। ଏହା ତଳକୁ ରହିଛି ମନୋହର ପାରିକର ଶାସନ କରୁଥିବା ଗୋଆ। ଏନ୍‌ସିଆର୍‌ବିର ସଦ୍ୟ ରିପୋର୍ଟକୁ ଗୁଜରାଟ ନିର୍ବାଚନରେ ବିରୋଧୀ କଂଗ୍ରେସ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦେଶର ଅନ୍ୟ ସମସ୍ତ ମେଟ୍ରୋପଲିଟାନ ସିଟି ତୁଳନାରେ ଦିଲ୍ଲୀରେ ମହିଳାମାନେ ସବୁଠୁ ବେଶି ଅସୁରକ୍ଷିତ। ୨୦୧୬ରେ ଦିଲ୍ଲୀରେ ମହିଳା ବିରୋଧୀ ଅପରାଧ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୮୨.୧% ବୃଦ୍ଧି ପାଇଛି। ସେହିପରି ଅର୍ଥନୈତିକ ଅପରାଧ କ୍ଷେତ୍ରରେ ମଧ୍ୟ ଜୟପୁର ବମ୍ବେକୁ ଟପିଯାଇଛି ଦିଲ୍ଲୀ। ୧୯ଟି ବଡ଼ ସହର ମଧ୍ୟରେ ବଳାତ୍କାର କ୍ଷେତ୍ରରେ ଦିଲ୍ଲୀ ଆଗୁଆ ରହିଛି। ୨୦୧୬ରେ ଦିଲ୍ଲୀରେ ପୂର୍ବବର୍ଷ ତୁଳନାରେ ୪୦% ଅଧିକ ବଳାତ୍କାର ମାମଲା ରୁଜୁ ହୋଇଛି। ଜାତୀୟ ସ୍ତରରେ ମଧ୍ୟ ପୂର୍ବବର୍ଷ ତୁଳନାରେ ହାରାହାରି ଅପରାଧ ହାର ବୃଦ୍ଧି ପାଇଛି। ୨୦୧୬ରେ ସାରା ଦେଶରେ ମୋଟ ୪୮,୩୧,୫୧୫ ବଳାତ୍କାର, ଅପହରଣ, ମହିଳା ଓ ଶିଶୁ ବିରୋଧୀ ଅପରାଧ ମାମଲା ଦାଏର ହୋଇଛି। ୨୦୧୫ରେ ଏହି ସଂଖ୍ୟା ୪୭,୧୦,୬୭୬ ଥିବାବେଳେ ଗତବର୍ଷ ଏଥିରେ ୨.୬% ବୃଦ୍ଧି ଘଟିଥିବା ରେକର୍ଡ କରାଯାଇଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏନ୍‌ସିଆର୍‌ବି ରିପୋର୍ଟ ଉନ୍ମୋଚନ ଅବସରରେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri