ସ୍ବଚ୍ଛ ଭାରତ ଅଭିଯାନରେ କେଁ


ନୂଆଦିଲ୍ଲୀ,୧୦।୧୧(ପି.ଟି.): ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱାକାଂକ୍ଷୀ ‘ସ୍ବଚ୍ଛ ଭାରତ’ ଅଭିଯାନ ଆରମ୍ଭ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ସାକାର କରିବା ଏହାର ଲକ୍ଷ୍ୟ। କିନ୍ତୁ ବାସ୍ତବରେ ଏହା ଜରିଆରେ ଲୋକପ୍ରିୟତା ସାଉଁଟିବାକୁ ମୋଦି ସରକାର ଅନେକ ପ୍ରଚେଷ୍ଟା ଚଳାଇଛନ୍ତି। କେତେକାଂଶରେ କେନ୍ଦ୍ର ସଫଳ ହୋଇଥିଲେ ସୁଦ୍ଧା ଏଥିରେ କେଁ ରହିଥିବା ଶୁକ୍ରବାର ଜାତିସଂଘ ପକ୍ଷରୁ କୁହାଯାଇଛି। ମୋଦି ସରକାରଙ୍କ ‘ସ୍ବଚ୍ଛ ଭାରତ’ ମିଶନକୁ ତୀବ୍ର ସମାଲୋଚନା କରିବା ସହ ଏହା ମାନବାଧିକାର ଉଲ୍ଲଂଘନ କରୁଥିବା ଜାତିସଂଘର ଜଣେ ପ୍ରମୁଖ ବିଶେଷଜ୍ଞ କହିଛନ୍ତି। ଖାଲି ସେତିକି ନୁହେଁ , ପାଇଖାନା ନିର୍ମାଣ ନ। ରେ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହାର ଦୃଢ଼ ଜବାବ ଦେଇଛନ୍ତି। ମାନବାଧିକାର, ବିଶୁଦ୍ଧ ପାନୀୟ ଜଳ, ପରିମଳ କ୍ଷେତ୍ରରେ ପ୍ରତିନିଧିତ୍ୱ କରୁଥିବା ଜାତିସଂଘର ସ୍ପେଶାଲ ରାପୋର୍ଟିଅର୍‌ (ୟୁଏନ୍‌ଏସ୍‌ଆର୍‌) ଲିଓ ହେଲର ପନ୍ଦର ଦିନିଆ ଭାରତ ଗସ୍ତରେ ଆସିଥିଲେ। ଗସ୍ତ କାଳରେ ସେ ଅନେକ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀ, କଲିକତା, ଇମ୍ଫାଲ, ଲକ୍ଷ୍ନୌ ଓ ବମ୍ବେର ଅନେକ ବସ୍ତି ଅଞ୍ଚଳ ମଧ୍ୟ ବୁଲିଛନ୍ତି। ଶୁକ୍ରବାର ତାଙ୍କ ଗସ୍ତ ଶେଷ ହେବା ପରେ ଲିଓ ଖବରଦାତା ସମ୍ମିଳନୀରେ ଏକ ପ୍ରାଥମିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଭାରତ ସରକାର ପାଇଖାନା ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଅଣଦେଖା କରିବା ଉଚିତ ହେଉ ନାହିଁ। ଗତ ଦୁଇ ସପ୍ତାହ ହେଲା ଲିଓ ଭାରତର ଗ୍ରାମ ଓ ସହରାଞ୍ଚଳ, ବସ୍ତି ଓ ଅସ୍ଥାୟୀ ବାସସ୍ଥାନଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଏସବୁ ଅଞ୍ଚଳରେ ଅସଂଖ୍ୟ ଲୋକ ବାସ କରୁଥିଲେ ସୁଦ୍ଧା ମାନବାଧିକାର ଦୃଷ୍ଟିରୁ ଲୋକଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦିଆଯାଉ ନ ଥିବା ତାଙ୍କ ନଜରକୁ ଆସିଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ ଏହା ଉଲ୍ଲେଖ ରହିଛି। ଲିଓ ଆହୁରି କହିଛନ୍ତି, ସେ ଯେଉଁଠିକୁ ଗଲେ ସେଠାରେ ସ୍ବଚ୍ଛ ଭାରତ ଅଭିଯାନର ଲୋଗୋ ସ୍ବରୂପ ମହାତ୍ମା ଗାନ୍ଧୀଙ୍କ ଚଷମା ଦେଖିବାକୁ ପାଇଲେ। କିନ୍ତୁ ଏହି ମିଶନ୍‌ କାର୍ଯ୍ୟକାରୀ ହେବାର ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ସେଭଳି କିଛି ପରିବର୍ତ୍ତନ ଦେଖାଯାଇ ନାହିଁ। ଏବେ ସେହି (ଗାନ୍ଧିଜୀଙ୍କ) ଚଷମା ଲେନ୍ସକୁ ମାନବାଧିକାର ଲେନ୍ସରେ ପରିଣତ କରିବା ଜଟିଳ ହେବ। ଗାନ୍ଧିଜୀଙ୍କ ନାମ ନେଇ ଜାତିସଂଘର ବିଶେଷଜ୍ଞ ଭାରତ ସରକାରଙ୍କୁ ଟାର୍ଗେଟ କରିଥିବାରୁ କେନ୍ଦ୍ର କଟୁ ସମାଲୋଚନା କରିଛି। ଜାତିର ପିତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଅତ୍ୟନ୍ତ ଅସମ୍ବେଦନଶୀଳ କଥା ବୋଲି ଏକ ବିବୃତି ଜରିଆରେ ସରକାର କହିଛନ୍ତି। ମହାତ୍ମା ମାନବାଧିକାରର ବାର୍ତ୍ତାବହ ଥିଲେ ବୋଲି ପୂରା ବିଶ୍ୱ ଜାଣିଛି। ଏହା ସତ୍ତ୍ୱେ ତାଙ୍କ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ମୋଦି ସରକାର କହିଛନ୍ତି। ଜାତିସଂଘ ମାନବାଧିକାର ପରିଷଦ ଦ୍ୱାରା ନିଯୁକ୍ତ ଲିଓ ହେଲରଙ୍କୁ ବିଶ୍ୱବ୍ୟାପୀ ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ଉପରେ ରିପୋର୍ଟ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି। ସେ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଅଧିକ ଅନୁସୂଚିତ ଜାତି ଓ ଜନଜାତିର ଲୋକ ବସବାସ କରୁଥିବା ଅଞ୍ଚଳରେ ପାଇଖାନା ପାଇଁ ମଧ୍ୟ ପାତରଅନ୍ତର ହେଉଛି। ଖୋଲାରେ ଶୌଚ ବନ୍ଦ କରିବା ପାଇଁ କେବଳ ପାଇଖାନା ନିର୍ମାଣ କଲେ ଚଳିବ ନାହିଁ। ମେହନ୍ତର କାମ କରୁଥିବା ଲୋକଙ୍କ ମାନବାଧିକାର ପ୍ରସଙ୍ଗକୁ ମଧ୍ୟ ଦୃଷ୍ଟି ଦେବା ଉଚିତ। ନିର୍ଦ୍ଦିଷ୍ଟ ଜାତିର ଲୋକ ପାଇଖାନା ମଳ ସଫା କରିବା ଅତି ଚିନ୍ତାଜନକ ବିଷୟ। ତେବେ ସେ କେନ୍ଦ୍ରକୁ ସାମାନ୍ୟ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ଏକ ନିଆରା ପଦକ୍ଷେପ। ଅପରପକ୍ଷେ ଲିଓଙ୍କ ପ୍ରାଥମିକ ରିପୋର୍ଟକୁ ମିଥ୍ୟା ଦର୍ଶାଇଛନ୍ତି ମୋଦି ସରକାର। ୨୦୧୮ ସେପ୍ଟେମ୍ବରରେ ହେବାକୁ ଥିବା ୩୯ତମ ମାନବାଧିକାର ପରିଷଦ ସଭାରେ ଏହି ଜାତିସଂଘ ବିଶେଷଜ୍ଞ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri