ନେତାଙ୍କ ବିରୋଧରେ ବିଚାର : ସ୍ବତନ୍ତ୍ର ଅଦାଲତ ଗଠନ ସପକ୍ଷରେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ,୧ା୧୧(ପି.ଟି.) ଦେଶରେ ଅନେକ ଦାଗୀ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏସବୁ ମାମଲାର ତ୍ୱରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବା ସପକ୍ଷରେ ମତ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ପଦକ୍ଷେପ ଦ୍ୱାରା ଜାତୀୟ ସ୍ବାର୍ଥରକ୍ଷା ହୋଇପାରିବ। ତେଣୁ ଏନେଇ ଏକ ଯୋଜନା ଆଣିବାକୁ କେନ୍ଦ୍ର ସରକାରଙ୍କୁ ବୁଧବାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କୁ ୬ ବର୍ଷ ଯାଏ ନିର୍ବାଚନ ଲଢ଼ିବା ଉପରେ କଟକଣା ଜାରି କରାଯାଇଛି। ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଉପରେ ଆଜୀବନ କଟକଣା ଜାରି ପାଇଁ ଜନ ପ୍ରତିନିଧି ଆଇନରେ ସଂଶୋଧନ ଆଣିବାକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ଏହାର ଶୁଣାଣି କରି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ନବୀନ ସିହ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ ନିର୍ବାଚନବବେଳେ ଦାଖଲ କରିଥିବା ସତ୍ୟପାଠରେ ଏମ୍‌ପି ଓ ବିଧାୟକମାନେ ସେମାନଙ୍କ ବିରୋଧରେ ଥିବା ମାମଲା ବିଷୟରେ ଦର୍ଶାଇଥିଲେ। ସେତେବେଳେ ଦାଗୀ ନେତାଙ୍କ ବିରୋଧରେ ୧,୫୮୧ ମାମଲା ଥିଲା। ନିର୍ଦ୍ଦେଶ ଅନୁଯାୟୀ ବର୍ଷକ ମଧ୍ୟରେ କେତୋଟି ମାମଲାର ବିଚାର ଶେଷ ହୋଇଛି, ତାହାର ସବିଶେଷ ତଥ୍ୟ ମାଗିଛନ୍ତି ଖଣ୍ଡପୀଠ। ପ୍ରକାଶ ଯେ, ଦାଗୀ ନେତାଙ୍କ ମାମଲାଗୁଡ଼ିକୁ ବେଶି ଦିନ ପକାଇ ନ ରଖି ବର୍ଷକରେ ନ୍ୟାୟ ପ୍ରଦାନ ପାଇଁ ୨୦୧୪ରେ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତେଣୁ ଉକ୍ତ ମାମଲାଗୁଡ଼ିକ ମଧ୍ୟରୁ ଏଯାବତ୍‌ କେତେଜଣ ଦାଗୀ ନେତା ଦୋଷୀ କିମ୍ବା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି, ଏନେଇ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ରାଜନୀତିକୁ ଅପରାଧମୁକ୍ତ କରାଯାଉ। ରାଜନେତାଙ୍କ ବିରୋଧରେ ଥିବା ମାମଲାର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଗଲେ ତାହାକୁ ବିରୋଧ କରିବୁ ନାହିଁ ବୋଲି କେନ୍ଦ୍ର ଯୁକ୍ତି ଉପସ୍ଥାପନ କରିଥିଲା। ଏହାପରେ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଆତ୍ମାରାମ ନାଦକର୍ନି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ଦାଗୀ ନେତାଙ୍କୁ ଆଜୀବନ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏବଂ ଆଇନ କମିଶନ ପ୍ରସ୍ତାବ ଦେଇଛନ୍ତି। ଏନେଇ କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଛନ୍ତି ବୋଲି ଖଣ୍ଡପୀଠଙ୍କୁ ନାଦକର୍ନି କହିଛନ୍ତି। ରାଜନୀତିକୁ ଅପରାଧମୁକ୍ତ କରାଯାଉ ବୋଲି ଭାରତ ସରକାର ଚାହୁଁଛନ୍ତି ବୋଲି ସେ କହିବାରୁ ଖଣ୍ଡପୀଠ ପାଲଟା ଜବାବ ଦେଇଥିଲେ। ଏନେଇ ଆଉ କିଛି ହୋଇପାରିବ କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ଏହାପରେ ଏକ ରିପୋର୍ଟକୁ ଆଧାର କରି ଖଣ୍ଡପୀଠ ଦାଗୀ ନେତାଙ୍କ ବିରୋଧରେ ତିନିବର୍ଷ ପୂର୍ବେ ପଡ଼ିରହିଥିବା ଦେଢ଼ ହଜାରରୁ ଊର୍ଦ୍ଧ୍ୱ ମାମଲାର ଦୃଷ୍ଟାନ୍ତ ଦେଇଥିଲେ। କେନ୍ଦ୍ର ସରକାର ଏ ସମ୍ପର୍କିତ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ନାଦକର୍ନି କହିଛନ୍ତି। ଏହି ସ୍ବତନ୍ତ୍ର କୋର୍ଟଗୁଡ଼ିକ କେବଳ ଦାଗୀ ନେତାଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ବିଚାର କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତେବେ ଏଗୁଡ଼ିକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ସହ ମିଶାଇ ଦିଆଯାଇପାରିବ କି ବୋଲି କେନ୍ଦ୍ର ପ୍ରଶ୍ନ କରିଥିଲା। ଏହି ପ୍ରସ୍ତାବକୁ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। କୌଣସି କୋର୍ଟ ସହ ଏହି ସ୍ବତନ୍ତ୍ର କୋର୍ଟକୁ ମିଶାଇବା ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି, ଦେଶର ପ୍ରତି କୋର୍ଟରେ ହାରହାରି ୪୦୦୦ ମାମଲାର ବିଚାର ହେଉଛି। ତେଣୁ ଦାଗୀ ନେତାଙ୍କ ମାମଲାରେ ଜଣେ ସ୍ବତନ୍ତ୍ର ବିଚାରବିଭାଗୀୟ ଅଧିକାରୀ ବିଚାର ନ କଲେ ବର୍ଷେ ମଧ୍ୟରେ ନ୍ୟାୟ ମିଳିବା କାଠିକର ପାଠ ହେବ। ଡିସେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri