ଡିୟୁକୁ ଫେରିଲା ଏନ୍‌ଏସ୍‌ୟୁଆଇ:ଏବିଭିପିକୁ ଶକ୍ତ ଝଟକା


ନୂଆଦିଲ୍ଲୀ,୧୪।୯(ପି.ଟି.):ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ (ଡିୟୁଏସ୍‌ୟୁ) ନିର୍ବାଚନ ଫଳାଫଳ ବୁଧବାର ଘୋଷଣା ହୋଇଛି। କଂଗ୍ରେସ ସମର୍ଥିତ ଛାତ୍ର ସଙ୍ଗଠନ ଏନ୍‌ଏସ୍‌ୟୁଆଇ ବିପୁଳ ବିଜୟ ଲାଭକରିଛି। ଡିୟୁଏସ୍‌ୟୁର ଚାରୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରୁ ଏନ୍‌ଏସ୍‌ୟୁଆଇକୁ ଦୁଇଟି ମିଳିଛି। ରକି ତୁଷିଦ୍‌ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ପ୍ରାର୍ଥୀ କୁନାଲ ଶେରାଓ୍ବତ୍‌ ଉପସଭାପତି ପଦରେ ଜିତିଛନ୍ତି। ୨୦୧୩ରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦର ନେତୃତ୍ୱ ନେଇଆସୁଥିବା ଏବିଭିପିକୁ ଲାଗିଛି ଶକ୍ତ ଝଟକା। ଯୁଗ୍ମ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଆଦି ଦୁଇଟି ଆସନରେ ଜିତିଛନ୍ତି ଆର୍‌ଏସ୍‌ଏସ୍‌ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ହୋଇଥିଲା। ଏନ୍‌ଏସ୍‌ୟୁଆଇ ପକ୍ଷରୁ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ରକି ୧,୫୯୦ ଭୋଟ ବ୍ୟବଧାନରେ ଜିତିଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରଜତ ଚୌଧ୍‌ରୀଙ୍କୁ ସେ ପରାଜିତ କରିଛନ୍ତି। ସେହିପରି ଏବିଭିପି ପ୍ରାର୍ଥୀ ପାର୍ଥ ରାଣାଙ୍କୁ ୧୭୫ ଖଣ୍ଡ ଭୋଟରେ ହରାଇ ଉପସଭାପତି ହୋଇଛନ୍ତି କୁନାଲ। ସେପଟେ ଏବିଭିପି ପକ୍ଷରୁ ନିର୍ବାଚନ ଲଢ଼ିଥିବା ମହାମେଧ ନାଗର ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ ମୀନାକ୍ଷୀ ମୀନାଙ୍କୁ ୨,୬୨୪ ଭୋଟରେ ପରାଜିତ କରି ସମ୍ପାଦକ ହୋଇଛନ୍ତି। ସେହିପରି ସଙ୍ଗଠନର ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଉମା ଶଙ୍କର ଏନ୍‌ଏସ୍‌ୟୁଆଇର ଅବିନାଶ ଯାଦବଙ୍କୁ ୩୪୨ ଭୋଟରେ ହରାଇଛନ୍ତି। ଏଥର ଡିୟୁ ଛାତ୍ର ସଂସଦ ନିର୍ବାଚନରେ ମୋଟ ୪୩ ପ୍ରତିଶତ ଭୋଟ ରେକର୍ଡ ହୋଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଭାବଶାଳୀ ରହିଆସିଥିବା ଏବିଭିପିକୁ ନିରାଶ ହେବାକୁ ପଡ଼ିଛି। ଗତବର୍ଷ ଏବିଭିପି ତିନୋଟି ପ୍ରମୁଖ ପଦବୀରେ ବିଜୟ ହାସଲ କରିଥିଲା ଏବଂ ଏନ୍‌ଏସ୍‌ୟୁଆଇକୁ ମିଳିଥିଲା ଯୁଗ୍ମ ସମ୍ପାଦକ ପଦବୀ। ଅନ୍ୟପକ୍ଷେ ଏନ୍‌ଏସ୍‌ୟୁଆଇ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି। ବିଜୟୀ ପ୍ରାର୍ଥୀମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସତର୍କ ଘଣ୍ଟି ବୋଲି କଂଗ୍ରେସ କହିଛି। ପ୍ରକାଶ ଯେ, ବିଶୃଙ୍ଖଳା ଆଚରଣ ଯୋଗୁ ରକି ତୁଷିଦଙ୍କ ପ୍ରାର୍ଥତ୍ତ୍ୱ ବିଶ୍ୱବିଦ୍ୟାଳୟ ନିର୍ବାଚନ କମିଟି ଖାରଜ କରିଥିଲେ। ଏନେଇ ଏନ୍‌ଏସ୍‌ୟୁଆଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅଦାଲତ ରକିଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri