ମୁମ୍ବାଇ,୫।୧୧: ଭାରତର ଶ୍ରେଷ୍ଠ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଥିବା ମହମ୍ମଦ ଶାମିଙ୍କୁ ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ମୁଖ୍ୟ ଟେଷ୍ଟ୍ ଦଳ କିମ୍ବା ଇଣ୍ଡିଆ ‘ଏ’ ଦଳ କୌଣସିରେ ବି ତାଙ୍କ ନାମ ନାହିଁ।
ପିଟିଆଇ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଶାମିଙ୍କ ଶରୀର ଟେଷ୍ଟ୍ କ୍ରିକେଟ୍ର କଠିନତା ଏବଂ ଲମ୍ବା ସ୍ପେଲ୍ ବୋଲିଂ କରିବାକୁ ସକ୍ଷମ କି ନୁହେଁ, ସେଥିରେ ଅନିଶ୍ଚିତ ଅଛନ୍ତି।
ତେବେ ଶାମି (୩୫ ବର୍ଷ) ବିଶ୍ୱକପ୍ ୨୦୨୩ ପରେ ଆହତରୁ ଫେରି ନିୟମିତ ଭାବେ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ସେ ନିକଟରେ ବେଙ୍ଗଲ ପାଇଁ ଖେଳିଥିବା ୩ଟି ରଣଜୀ ଟ୍ରଫି ମ୍ୟାଚ୍ରେ ୯୩ ଓଭର ବୋଲିଂ କରି ୧୫ରୁ ଅଧିକ ୱିକେଟ୍ ନେଇଥିଲେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ସାମିଲ କରି ନାହାଁନ୍ତି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶାମି ତାଙ୍କ ଫିଟ୍ନେସ୍ ବିଷୟରେ ଦେଇଥିବା କିଛି ବୟାନ ମଧ୍ୟ ହୁଏତ ତାଙ୍କ ଚୟନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଇପାରେ।
ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଭାରତ ଅତି କମରେ ଛଅ ମାସ ପାଇଁ କୌଣସି ଟେଷ୍ଟ୍ ମ୍ୟାଚ୍ ଖେଳିବ ନାହିଁ। ତେଣୁ ଏହି ବାଦ୍ ପଡ଼ିବା ପରେ ତାଙ୍କର ଟେଷ୍ଟ୍ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଥିବା ଚର୍ଚ୍ଚା ହେଉଛି।
ବର୍ତ୍ତମାନର ଜସପ୍ରିତ୍ ବୁମରା, ମହମ୍ମଦ ସିରାଜ, ଆକାଶ ଦୀପ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ଗଠନ କରାଯାଇଛି।