ଛତ୍ରପୁର,୨୭ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସୋମବାର ଆର୍ଯ୍ୟପଲ୍ଲୀ ଓ ଅଗସ୍ତି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ବୁଲି ଦେଖିଛନ୍ତି। ଏଥିସହ ସମୁଦ୍ରକୂଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକ ସରଞ୍ଜାମ ଏବଂ ଖାଦ୍ୟ ରଖିଛି କି ନାହିଁ ତାହାର ଅନୁଧ୍ୟାନ କରିବା ସହ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେ ନେଇ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍ସନ, ଓଆରଏସ ରଖିବା ସହ ଗୋଖାଦ୍ୟ ମହଜୁଦ ରଖିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଆସନ୍ନ ପ୍ରସବ ମହିଳାମାନଙ୍କୁ ଜରୁରିକାଳୀନ ଭିତ୍ତିରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ନେବା ପାଇଁ କୁହାଯାଇଛି। ବାତ୍ୟା ସମୟରେ ସମସ୍ତ ପ୍ରକାର ସୁବିଧା ଜନସାଧାରଣଙ୍କୁ ଯୋଗାଇଦେବା ପାଇଁ ବିଧାୟକ ପ୍ରଶାସନକୁ କହିଥିଲେ। ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାଜିତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।



