ବିଲରେ ପାଚିଲା ଧାନ, ଘରେ ଶୋଇପାରୁନି ଚାଷୀ


ପୁରୀ ଅଫିସ/ବ୍ରହ୍ମଗିରି/କାକଟପୁର, (ଡି.ଏନ.ଏ.) ୭।୧୨: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଚିନ୍ତାରେ ଚାଷୀ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ ଏବେ ଉପକୂଳ ଆଡକୁ ମୁହଁ।ଉଛି। ଏହାର ପ୍ରଭାବରେ ଗୁରୁବାର ସନ୍ଧ୍ୟା ପରଠାରୁ ଦକ୍ଷିଣ ଓଡ଼ିଶା ଏବଂ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବର୍ଷା ହେଲେ ଚାଷୀର ବର୍ଷକର ଆହାର ଉଜୁଡିଯିବା ହିଁ ସାର ହେବ। ବିଲରେ ପାଚିଲା ଧାନ ଥିବାବେଳେ ଘରେ ଶାନ୍ତିରେ ଶୋଇପାରୁନି ଚାଷୀ। କେମିତି ଧାନ କଟା ହୋଇ ଖଳାକୁ ଆସିବ ଏହି ଚିନ୍ତା ଘାରିଛି ଚାଷୀକୁଳକୁ। ତେବେ ଗୁରୁବାର ଦିନତମାମ୍‌ କୋହଲା ପବନ ସାଙ୍ଗକୁ ପାଗ ମେଘୁଆ ରହିବା ଚାଷୀ ଚିନ୍ତାକୁ ବଢାଇ ଦେଇଛି। ବର୍ତ୍ତମାନ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଧାନ ପାଚିଗଲାଣି। ବିଲରୁ ଧାନ କାଟି ଖଳାକୁ ଆଣିବାର ସମୟ। ହେଲେ ଠିକ୍‌ ଅମଳ ସମୟରେ ବର୍ଷା ଦାଉ ସାଧିବାକୁ ଯାଉଛି। ନଭେମ୍ବରରେ ହୋଇଥିବା ଲଘୁଚାପ ବର୍ଷାରେ ଉପକୂଳ ଓଡ଼ିଶାର ଅନେକ ଜିଲାରେ ଧାନଗଛ ପାଣିରେ ବୁଡ଼ି ରହିଥିଲା। କେତେକ ବିଲରେ ଧାନ ମଧ୍ୟ ଗଜା ହୋଇଥିଲା। ଏଥିରୁ ବର୍ତ୍ତିଯାଇଥିବା ଧାନର ଅମଳ ଆରମ୍ଭ ହୋଇଥିବାବେଳେ ଏବେ ପୁଣି ଲଘୁଚାପ ଭୟ ଦେଖାଇଛି। ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଆସୁଥିବାରୁ ପାଚିଲା ଧାନ ଶୀଘ୍ର ବିଲରୁ କାଟିନେବା ପାଇଁ ଗତ ୪ ଦିନ ତଳେ ସରକାର ଚାଷୀମାନଙ୍କୁ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ମଧ୍ୟ ତରବର ହୋଇ ଧାନ କାଟିଥିଲେ। କିନ୍ତୁ ଶ୍ରମିକଙ୍କ ଉପରେ ନିର୍ଭର କରୁଥିବା ଚାଷୀମାନେ ସେମାନଙ୍କ ବିଲରୁ ଧାନ କାଟିପାରି ନାହାନ୍ତି। କାରଣ ମଜୁରିଆମାନେ ସେମାନଙ୍କ ଜମିରୁ ନିଜ ଧାନ କାଟି ଖଳାକୁ ନେବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ପୁରୀ ଜିଲାରେ ଏବେ ପ୍ରାୟ ୫୦ ପ୍ରତିଶତ ଧାନ ବିଲରେ ରହିଥିବା ଜଣାପଡିଛି। କାକଟପୁରର ଚାଷୀ ଶେଖ୍‌ ସମଶେର କୁହନ୍ତି, ମୁଁ ୩ ଏକର ଧାନଚାଷ କରିଛି। ଫସଲ ଶୀଘ୍ର ଅମଳ କରିନେବାକୁ ସରକାର ଘୋଷଣା କରିବା ପରେ ପ୍ରାୟ ୧ ଏକର ଜମିରୁ ଧାନ କାଟି ଖଳାକୁ ନେଇସାରିଲିଣି। ଏବେ ୨ ଏକର ଜମିରେ ଧାନ ରହିଛି। ଏଥିରୁ ପ୍ରାୟ ୪୦ ପ୍ରତିଶତ ପାଚିନାହିଁ। ଯଦି ଲଘୁଚାପ ବର୍ଷା ଅଧିକ ହୁଏ, ତେବେ ଜମିରେ ପାଚିଲା ଧାନ ନଷ୍ଟ ହେବ। ଭଗବାନଙ୍କ ଇଚ୍ଛା ଯାହା ଥିବ ତାହା ହିଁ ହେବ। ଦେଢ଼ଏକର ଜମିରେ ଧାନଚାଷ କରିଥିବା ଅସ୍ତରଙ୍ଗର ପ୍ରସନ୍ନ ନାୟକ କହିଛନ୍ତି, ତାଙ୍କର ସବୁ ଧାନ ପାଚିଯାଇଛି। କିନ୍ତୁ ଅମଳ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। କାରଣ ସେ ସମ୍ପୂର୍ଣ୍ଣ ଭାବେ ଦିନମଜୁରିଆଙ୍କୁ ଭରସା କରିଥାନ୍ତି। ଏବେ ଶ୍ରମିକ ମିଳୁନାହାନ୍ତି କି ଧାନକଟା ମେଶିନ ମିଳୁନାହିଁ। ବର୍ଷା କଥା ଭାବିଲା ବେଳକୁ ତାଙ୍କ ଆଖିକୁ ନିଦ ଆସୁନାହିଁ ବୋଲି ସେ କହିଛନ୍ତି। ସେହିପରି ବ୍ରହ୍ମଗିରି ବ୍ଲକ ସାନବନ୍ଧକେରାର ସୁକାନ୍ତ କୁମାର ନାୟକ କୁହନ୍ତି, ୧୦ ଏକର ଜମିରେ ହାଇବ୍ରିଡ୍‌ ଧାନ ଚାଷ କରିଥିଲି। ଗତ ଅଦିନିଆ ବର୍ଷାରେ ପ୍ରାୟ ୨ ଏକର ଜମିର ଧାନ କ୍ଷତି ହୋଇଥିଲା। ୫ ଏକର ଅମଳ କରିସାରିଛି। ଅବଶିଷ୍ଟ ଧାନ ଜମିରେ ରହିଛି। କିନ୍ତୁ ଏବେ ମଜୁରିଆ ମିଳୁନାହାନ୍ତି। କିପରି ଅମଳ କରିବି ତାହାକୁ ନେଇ ଚିନ୍ତାରେ ପଡିଛି। ଯଦି ବର୍ଷା ହୁଏ, ଧାନ ନଷ୍ଟ ହେବା ନିଶ୍ଚିତ। ସେହିପରି ଏହି ଗଁ।ର ପ୍ରହଲ୍ଲାଦ ପଲେଇ କହିଛନ୍ତି ସେ ୫ ଏକର ଜମିରେ ଚାଷ କରିଛନ୍ତି। ୧ ଏକର ଜମିରୁ ଧାନ କାଟି ଖଳାକୁ ନେଇଯାଇଛନ୍ତି। ଏବେ ବି ୪ ଏକର ଜମିରେ ପାଚିଲା ଧାନ ରହିଛି। ଏମାନଙ୍କ ଭଳି ଜିଲାର ପ୍ରାୟ ସବୁ ଚାଷୀଙ୍କ ଊଣାଅଧିକେ ପାଚିଲା ଧାନ ଏବେ ବି ଜମିରେ ରହିଛି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଏସ୍‌. ଚନ୍ଦ୍ରଶେଖର ରାଓ କହିଛନ୍ତି, ଜିଲାରେ ମୋଟ ୧ ଲକ୍ଷ ୮୮ ହଜାର ୭୪୫ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ଚଳିତ ଖରିଫ ଋତୁରେ ୧ ଲକ୍ଷ ୪୧ ହଜାର ୧୦୭ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୫୦ ପ୍ରତିଶତ ଜମିରୁ ଧାନ ଅମଳ ସରିଛି। ସମ୍ଭାବ୍ୟ ବର୍ଷାକୁ ନେଇ ମାଇକ ଯୋଗେ ଗଁ।ରେ ଚାଷୀଙ୍କୁ ଶୀଘ୍ର ଧାନ ଅମଳ ପାଇଁ ସଚେତନ କରାଯାଇଛି। କିନ୍ତୁ ହଠାତ୍‌ ସବୁ ଜମିରୁ ଧାନ କାଟିଆଣିବା ଚାଷୀଙ୍କ ପକ୍ଷେ ସମ୍ଭବ ହୋଇନାହିଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri